ସ୍ୱାସ୍ଥ୍ୟ ସେବାର ନଗ୍ନ ଦୃଶ୍ୟ: ବାରଣ୍ଡା, ଅଟୋ ପାଲଟିଛି ପ୍ରସବକେନ୍ଦ୍ର

ବରଗଡ,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଲିକୁ ସ୍ଥାନାନ୍ତର ହେବା ପରେ ଏହାକୁ ଅର୍ବାନ ସିଏଚସି ଭାବରେ ଘୋଷଣା କରାଯାଇଛି। ତା ସତ୍ତ୍ବେ ମଧ୍ୟ ଏଠାରେ ରୋଗୀ ଠିକ ଭାବରେ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି। ସରକାର ଗର୍ଭବତୀ ତଥା ନବଜାତକ ସନ୍ତାନ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ବରଗଡ଼ ସଦର ମହକୁମାରେ ପ୍ରସୂତି ବାରଣ୍ଡା ଓ ଅଟୋରେ ଶିଶୁ ଜନ୍ମ ଦେଉଛନ୍ତି। ଫଳରେ ଜିଲ୍ଳାର ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର ଭୋରରେ ଏପରି ଦୁଇଟି ଘଟଣା ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି।

ବରଗଡ଼ ନିକଟସ୍ଥ ତୋରା ଗ୍ରାମର ନେତ୍ରାନନ୍ଦ ମହାପାତ୍ର ନିଜ ଆସନ୍ନ ପ୍ରସବା ସ୍ତ୍ରୀ ଜ୍ୟୋତିମୟୀକୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର କୋଭିଡ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନଥିଲେ। ଦୀର୍ଘ ସମୟ ହଇରାଣ ହେବା ପରେ ହସ୍ପିଟାଲ ପରିସରରେ ଅଟୋ ମଧ୍ୟରେ ନେତ୍ରାନନ୍ଦଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନ୍ୟପଟେ ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନା ନିଜ ସ୍ତ୍ରୀ ଲଳିତାକୁ ଆଜି ଭୋରରେ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ଅପେକ୍ଷାରେ ଲଳିତା ପୁରୁଣା ଜିଲ୍ଳା ଡାକ୍ତରଖାନା ପରିସରରେ ବନ୍ଦ ହୋଇ ପଡି ରହିଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣାକୁ ନେଇ ବିଭିିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।