ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧାରାପଡ଼ିଲେ ସ୍ୱାସ୍ଥ୍ୟକର୍ମୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମୃତ୍ୟୁ ସାର୍ଟିଫିକେଟ ଦେବା ପାଇଁ ଲାଞ୍ଚ ମାଗି ଆଜି ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ସ୍ୱାସ୍ଥ୍ୟକର୍ମୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତ ଭରତ ଘାଷିଙ୍କୁ ଗିରଫ କରି ଝାରସୁଗୁଡ଼ାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି। ପରେ ତାଙ୍କୁ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଭରତ କାର୍ଯ୍ୟ କରନ୍ତି। ଜନ୍ମ ମୃତ୍ୟୁ ସାର୍ଟିଫିକେଟ ପାଇଁ ମାତ୍ର ୧୧ ଟଙ୍କାର ଟ୍ରେଜରୀ ଚାଲାଣ ଲାଗୁଥିବାବେଳେ ଭରତ ସମସ୍ତଙ୍କଠାରୁ ୧୫ଶହ ଟଙ୍କା ଆଦାୟ କରୁଥିଲେ। ତେବେ ଝାରସୁଗୁଡ଼ା ପୁର୍ଣ୍ଣାର ସରୋଜିନୀ କିସାନଙ୍କ ମା’ ୨୦୦୯ରେ ଏବଂ ବାପା ୨୦୧୬ରେ ମୃତ୍ୟୁବରଣ କରିଥିଲେ। ପରେ ସରୋଜିନୀ ବାରମ୍ବାର ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ନିଜ ବାପା ମା’ଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ। ହେଲେ ୧୫ଶହ ଟଙ୍କା ପ୍ରଦାନ ନକଲେ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରୋଜିନୀଙ୍କୁ ରୋକଠୋକ ଭରତ ମନା କରିଦେଇଥିଲେ। ବାରମ୍ବାର ଆବେଦନ କରି ନିରାଶ ହେବା ପରେ ସରୋଜିନୀ ଭିଜିଲାନ୍ସ ବିଭାଗକୁ ଏନେଇ ଅବଗତ କରାଇଥିଲେ। ଭିଜିଲାନ୍ସର ଯୋଜନା ମୁତାବିକ ଆଜି ସରୋଜିନୀଠାରୁ ୧୫ଶହ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭରତ ଧରା ପଡ଼ିଥିଲେ। ପରେ ଭିଜିଲାନ୍ସ ଭରତ ବିରୋଧରେ ଦୁର୍ନିତୀ ଆଇନ ଅନୁସାରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଏହି ଚଢ଼ଉ ସମୟରେ ରାଉରକେଲା ଭିଜିଲାନ୍ସ ଡିଏସପି ଧୀରେନ୍ଦ୍ର କୁମାର ନାୟକ, ଇନ୍ସପେକ୍ଟର ଗୀତାଞ୍ଜଳି ପ୍ରଧାନ, ଝାରସୁଗୁଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ପିକେ ଆଇଣ୍ଡ, ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଧାଂଶୁ ଶେଖର ପୁଜାରୀ, ଦେବଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ଯୋଗେଶ ପ୍ରସାଦ ପଟେଲ, କନେଷ୍ଟବଳ ଗୌରୀଶଙ୍କର ମେହେର, ପି ଦେହୁରୀ, ପିକେ ଦାସ ଓ ଏଚଆର ସିଂ ପ୍ରମୁଖ ଉପସ୍ଥିତ ଥିଲେ।