ଫଟାମୁଣ୍ଡା ଗାଁ’ରେ ଝାଡ଼ାବାନ୍ତିରେ ୮ ଜଣ ଅସୁସ୍ଥ, ଗାଁ’ରେ ସ୍ୱାସ୍ଥ୍ୟ ବିଭାଗ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଟିକ୍ରାପଡ଼ା ପଞ୍ଚାୟତ ଫଟାମୁଣ୍ଡା ଗାଁରେ ଝାଡ଼ାବାନ୍ତିରେ ଅନେକ ଲୋକ ଆକ୍ରାନ୍ତ ହେବା ଜଣାପଡିବା ପରେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ପହଞ୍ଚି ରୋଗୀ ମାନଙ୍କୁ ଚିକିତ୍ସା କରିଥିବା ଜଣାପଡିଛି। କିଛି ଲୋକ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ମଧ୍ୟ ଫେରିଛନ୍ତି। ଡ଼. ରାମ ପ୍ରସାଦ ପଣ୍ଡା ଉକ୍ତ ଗାଁ’କୁ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନା ମତେ, ଗତ ୧୮ ତାରିଖ ଦିନ କୁନି ପୁଟେଲ(୫୫) ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପାଟଣାଗଡ଼ ଡାକ୍ତରଖାନାକୁ ଚିକିତ୍ସିତ ହେବା ପାଇଁ ଯାଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ହେବା ପରେ ଘରକୁ ଫେରି ଆସିଥିଲେ।

ଚୂଡ଼ାମଣି ମେହେର(୩୯), ଅଫୁଆ ଭୋଇ(୫୫), ପିଙ୍କି ମେହେର(୩୩), ତ୍ରିଲୋଚନ ଭୋଇ(୫୦), ବିଜଳି ଭୁଏ(୫୫), ସୁରେଖା ଭୁଏ(୪୫) ଓ ମିତା ଭୋଇ(୧୧) ମଧ୍ୟ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ଆଜି ମଧ୍ୟ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ତାଙ୍କର ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିଛିଦିନ ତଳେ ୨ଟି ସ୍ଥାନରେ ପାଇପ ଫାଟି ଯାଇଥିବାର ଜଣାପଡିଛି। ପଞ୍ଚାୟତ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଫାର୍ମାସିଷ୍ଟ ପୁରୁଷୋତ୍ତମ ସାହୁ, ସ୍ୱାସ୍ଥ୍ୟକର୍ମୀ ସଫଳା ଖମାରି ପ୍ରମୁଖ ଉପସ୍ଥିତ ଥିଲେ।