ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ନ କରିବାକୁ ଦାବି

କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡା ବ୍ଲକ୍ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ନ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, କୁନ୍ଦୁଲିଠାରେ ୧୯୬୪ ମସିହାରେ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ନିମନ୍ତେ ଜମି ଦାନ କରିଥିବା ଆଦିବାସୀ ପରିବାରର ଉତ୍ତରାଧିକାରୀ ଡି.ଅଚ୍ୟୁତ,ଡି.ଡମ୍ବୁ ଓ ଡି.ମଙ୍ଗଡା ନିଜ ଜମି ଫେରସ୍ତ ପାଇବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟଙ୍କ ଅନୁମତି ପରେ ସରକାରଙ୍କ ପକ୍ଷରୁ ମାଳିପୁଙ୍ଗାର ମୌଜାରେ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ନିମନ୍ତେ ୫ ଏକର ଜମି ମାପଚୁପ କରାଯାଇଥିବା କୁନ୍ଦୁଲି ସରପଞ୍ଚ ମିଲୁକୁ ନନ୍ଦିବାଲି ପ୍ରକାଶ କରିଛନ୍ତି। ଏଠାରୁ ଯଦି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରାଯାଏ ତେବେ ଗ୍ରାମବାସୀଙ୍କ ବହୁ ଅସୁବିଧା ହେବ । ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ। ଏନେଇ କୋରାପୁଟ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।