ରାଉରକେଲା,ଏନ୍ଏନ୍ଏସ୍: ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ଫାଉଣ୍ଡେସନ(ଏଆରଡିଏଫ) ରାଉରକେଲା ଦ୍ୱାରା ବିଶ୍ରା ବ୍ଲକସ୍ଥିତ ପୋଗ୍ରାବାହାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ମା’, ପିଲା ଓ ଗର୍ଭବତୀ ମହିଳାଙ୍କ ଲାଗି ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସିକିଲସେଲ ରୋଗ, ମାସିକ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଓ ପୋଷଣ ବିଷୟରେ ଆଦିବାସୀ ମହିଳାଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନର ନିର୍ଦ୍ଦେଶିକା ଡା. ଅନ୍ତର୍ଜିତା ନାୟକ ସେଠାରେ ଉପସ୍ଥିତ ମା’ମାନଙ୍କୁ ବିଭିନ୍ନ ପ୍ରକାରର ଡାଲି, ସହଜ ଏବଂ ସୁଲଭ ମୂଲ୍ୟରେ ମିଳି ପାରୁଥିବା ପନିପରିବା ଓ ଶାଗ ଚିହ୍ନଟ କରାଇବା ସହ ସେଗୁଡ଼ିକରେ ଥିବା ପୋଷାକ ତତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ଏନଆଇଟି ରାଉରକେଲାର ମନସ୍ତତ୍ୱବିଦ ପ୍ରଫେସର ରାମକୃଷ୍ଣ ବିଶ୍ୱାଳ ଶିଶୁଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ପୁଷ୍ଟିକର ଖାଦ୍ୟର ଭୂମିକା ବିଷୟରେ ଆଲୋଚନା କରିବା ସାଙ୍ଗରେ ସିକିଲ ସେଲ ରୋଗର କାରଣ, ଲକ୍ଷଣ ଓ ନିରାକରଣ ଦିଗରେ ଉପସ୍ଥିତ ଆଦିବାସୀ ମହିଳାଙ୍କୁ ଅବଗତ କରାଇଥିଲେ । ଏନଆଇଟି ରାଉରକେଲାର ସ୍ଥାୟୀ ବିକାଶ ଲକ୍ଷ ନିମିତ୍ତ କ୍ଲବର ସଦସ୍ୟ ଏବଂ ସାମାଜିକ ବିଜ୍ଞାନ ବିଭାଗର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ, ପିଲାଙ୍କର ପୁଷ୍ଟିକର ସ୍ଥିତି ଆକଳନ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପିଲାଙ୍କର ଉଚ୍ଚତା, ଓଜନ ଓ ମୁଣ୍ଡର ପରିଧି ରେକର୍ଡ କରିଥିଲେ । ଏହି କାର୍ଯ୍ୟକ୍ରମଟି ପୋଗ୍ରାବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା । ଉପସ୍ଥିତ ମହିଳାଙ୍କୁ ସୁସ୍ଥ ଓ ସ୍ୱଚ୍ଛ ଋତୁସ୍ରାବ ନିମନ୍ତେ ସାନିଟାରୀ ପ୍ୟାଡ଼ ବଣ୍ଟନ କରାଯାଇଥିଲ । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ପିଲାଙ୍କ ମଧ୍ୟରେ ସ୍କୁଲ୍ ବ୍ୟାଗ ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଅଙ୍କୁରିତ ମୁଗ, ନାଲି ଚଣା, ମଟରରୁ ପ୍ରସ୍ତୁତ ଏକ ଚାଟ ଓ ପାଚିଲା କଦଳୀ ପୁଷ୍ଟିକର ଖାଦ୍ୟ ହିସାବରେ ଏଆରଡିଏଫ ତରଫରୁ ଦିଆଯାଇଥିଲା ।