ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ ଯୁବକ

ପାଲଲହଡ଼ା,ଏନ୍ଏନ୍ଏସ୍: ନିଜ ଦେହରେ ନିଆଁ ଲଗାଇ ଥାନା ଭିତରେ ପଶିଗଲେ ଯୁବକ। ପୁଲିସ ନିଆଁ ଲିଭାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ।

ଯୁବକ ଜଣଙ୍କ ପାଲଲହଡ଼ା ଈଶ୍ୱର ନଗର ଗାଁ’ର ବିଶ୍ୱନାଥ। ଆଜି ଦିନ ୧୧ଟା ବେଳେ ବିଶ୍ୱନାଥ ହାତରେ ଗୋଟିଏ ପତାକା ଧରି ମେଡିକାଲ ଛକରେ ଠିଆ ହୋଇଥିଲେ। ପରେ ଚାଲି ଚାଲି ଯାଇ ଥାନା ପାଖରେ ପହଞ୍ଚିଥିଲେ। ସେଠାରେ ବିଶ୍ୱନାଥ ହଠାତ୍ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଓ ଥାନା ଭିତରକୁ ଚାଲି ଯାଇଥିଲେ। ଥାନାରେ ଉପସ୍ଥିତ ପୁଲିସ କର୍ମଚାରୀ ସଙ୍ଗେ ସଙ୍ଗେ ନିଆଁ ଲିଭାଇ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବକଙ୍କ ବାମ ହାତ ପୋଡ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ କିଛି ଦିନ ହେବ ଅବସାଦରେ ରହିଥିଲେ। ସେଥିପାଇଁ ଏମିତି ଏକ କାଣ୍ଡ ଘଟାଇଥିବା ଜଣାପଡ଼ିଛି।