ସନରାଇଜର୍ସର ହ୍ୟାଟ୍ରିକ୍ ପରାଜୟ, ଦ୍ୱିତୀୟ ବିଜୟ ସହ ଟପରେ ମୁମ୍ବାଇ

ଚେନ୍ନାଇ,ଏଜେନ୍ସି: ଚଳିତ ଆଇପିଏଲର ଚତୁର୍ଦ୍ଦର୍ଶ ସଂସ୍କରଣରେ ଶନିବାର ନବମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତା’ର ଦ୍ୱିତୀୟ ବିଜୟ ଅର୍ଜନ କରିଛି। ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ରମାଗତ ଭାବେ ତୃତୀୟ ମ୍ୟାଚରେ ପରାଜୟ ବରଣ କରି ପଏଣ୍ଟ୍ ଶୂନ୍ୟ ରହିବା ସହ ଟେବଲର ସର୍ବନିମ୍ନ ସ୍ଥାନରେ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ୱିକେଟରେ ୧୫୦ ରନ୍ କରିଥିଲା। ଦଳ ପକ୍ଷରୁ ଶୀର୍ଷ ୫ ବ୍ୟାଟ୍ସମ୍ୟାନ୍ ଭଲ ଷ୍ଟାର୍ଟ ପାଇଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ତଥାପି ଦଳର ବୋଲରମାନେ ପ୍ରତିପକ୍ଷ ଟିମ୍‌ର ଇନିଂସକୁ ୧୯.୩ ଓଭରରେ ୧୩୭ ରନରେ ସୀମିତ ରଖିଥିଲେ। ଏଥିସହ ଦ୍ୱିତୀୟ ବିଜୟ ପାଇଁ ମୁମ୍ବାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପଛରେ ପକାଇ ଟେବଲ୍ ଟପ୍ପର ପହଞ୍ଚିଛି।

ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ ଓ କ୍ୱ୍ୱିଣ୍ଟନ୍ ଡି’କକ୍ ୫୫ ରନ୍ ଯୋଡ଼ିଥିଲେ। ଏଥି ମଧ୍ୟରୁ ରୋହିତଙ୍କ ଅବଦାନ ଥିଲା ୩୨ ରନ୍। ସେହିପରି ସୂର୍ଯ୍ୟକୁମାର ମାତ୍ର ୬ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୧୦ ରନ୍ କରିଥିଲେ। ତାଙ୍କ ପରେ ଡି’କକ୍ ବି ୩୯ ବଲରେ ୫ ଚୌକା ସହ ୪୦ ରନ କରି ଆଉଟ୍ ହୋଇଥିଲେ। ପରବର୍ତ୍ତୀ ସମୟରେ ପୋଲାର୍ଡ ୨୨ ବଲ୍ ଖେଳି ଗୋଟିଏ ଚୌକା ଓ ୩ଟି ଛକା ସହ ଅପରାଜିତ ୩୫ ରନ୍ କରି ଦଳୀୟ ସ୍କୋରକୁ ୧୫୦ରେ ପହଞ୍ଚାଇଥିଲେ। ତାଙ୍କ ବ୍ୟତୀତ ଈଶାନ୍ କିଶନ୍ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୭ ଓ କୃନାଲ୍ ପାଣ୍ଡ୍ୟା ୩ ରନ୍ କରିଥିଲେ। ସନରାଇଜର୍ସ ପକ୍ଷରୁ ବିଜୟ ଶଙ୍କର ଓ ମୁଜିବ୍-ଉର୍-ରହମାନ୍ ୨ଟି ଲେଖାଏଁ ଏବଂ ଖାଲିଦ୍ ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲେ।
ଜବାବରେ ହାଇଦ୍ରାବାଦ ଦୁଇ ଓପନରଙ୍କଠାରୁ ୬୭ ରନ୍ର ଯୋଗଦାନ ପାଇଥିଲା। ବିଶେଷକରି ଜନ୍ନି ବେୟାରଷ୍ଟୋ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୨ ବଲରେ ୩ଟି ଚୌକ ଓ ୪ଟି ଛକା ସହ ୪୩ ରନ୍ କରିଥିଲେ। ତାଙ୍କ ପରେ ମନୀଷ ପାଣ୍ଡେ ମାତ୍ର ୨ ଓ ବିରାଟ ସିଂ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଓପନର ତଥା ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ୩୪ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୩୬ ରନ୍ କରିଥିଲେ। କେବଳ ବିଜୟ ଶଙ୍କର ୨୫ ବଲ୍ ଖେଳି ୨ଟି ଛକା ସହାୟତାରେ ୨୮ ରନ୍ କରିଥିଲେ। ଶେଷରେ ହାଇଦ୍ରାବାଦ ୧୯.୪ ଓଭରରେ ୧୩୭ ରନ୍ କରି ଅଲ ଆଉଟ୍ ହୋଇ ୧୩ ରନରେ ପରାସ୍ତ ହୋଇଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ଓ ଦୀପକ ଚହର୍ ୩ଟି ଲେଖାଏଁ ଏବଂ ଜସପ୍ରୀତ୍ ବୁମରା ଓ କୃନାଲ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।