ହାଇଦର ଫେରାର ଘଟଣାରେ ୩ ଗିରଫ

କଟକ,ଏନ୍ଏନ୍ଏସ୍: ଏସସିବିରୁ ହାଇଦର ଫେରାର ହେବା ଘଟଣାରେ ୩ ଗିରଫ। ଜଣେ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର ହେବାରେ ସହଯୋଗ ଅଭିଯୋଗରେ ଗିରଫ କରାଯାଇଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ଅଲ୍ଲୀ ପୁଲିସକୁ ଚକମା ଦେଇ ଏସସିବି ମେଡିକାଲରୁ ଫେରାର ହୋଇଯାଇଥିଲା। ହାଇଦର ଅଲ୍ଲୀ ୨ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ସର୍କଲ ଜେଲରେ ଆଜୀବନ କାରାଦଣ୍ଡରେ ଥିଲା। ସେ ଦୀର୍ଘ ୧୬ ବର୍ଷ ହେଲା ଜେଲରେ ଥିଲା। ସେଠାରେ ସେ ଅସୁସ୍ଥ ହୋଇପଡିବାରୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସା ପରେ ୧୦ ତାରିଖ ଦିନ କୌଶଳକ୍ରମେ ହାଇଦର ଅଲ୍ଲୀ ଫେରାର ହୋଇଯାଇଥିଲା। ଫେରାରର ୫ ଦିନ ପରେ ଗୁରୁବାର ତେଲେଙ୍ଗାନାରୁ ଗିରଫ ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ତେଲେଙ୍ଗାନା ପୁଲିସ ସହାୟତାରେ କଟକ ପୁଲିସ ରଙ୍ଗାରେଡ଼ି ଜିଲ୍ଲାରୁ ହାଇଦରକୁ ଗିରଫ କରିଥିଲା।