ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟରେ ନିର୍ଯାତନା: ୧୧ ଭୋକିଲା ଛାତ୍ରଛାତ୍ରୀ ଉଦ୍ଧାର

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ମହୁଲପାଳଠାରେ ସ୍ଥାପିିତ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟ ନାମକ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଆବାସିକ ଦଳିତ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଘଟଣା ପଦାକୁ ଆସିଛି।।ପ୍ରଶାସନ ଓ ପୁଲିସ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢ଼ଉ କରି ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାରୁ ଜଣାଯାଇଛି ଯେ ନୂଆ ବର୍ଷରେ ଭୋଜି କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପ୍ରତି ପିଲାଙ୍କୁ ୫୦୦ ଟଙ୍କା ଚାନ୍ଦା କରିଥିଲେ।

ଶୁକ୍ରବାର ଜଣେ ଅଭିଭାବକ ତାଙ୍କ ପିଲା ପାଇଁ ଟଙ୍କା ଦେବାକୁ ଆସିଥିବା ବେଳେ ସେ ନିଜ ପିଲା ତଥା ଅନ୍ୟ ଅନ୍ତେଃବାସୀମାନେ କିପରି ନିର୍ଯାତନା ଭୋଗୁଛନ୍ତି ସେ ସମ୍ପର୍କରେ ଜଣାଇଥିଲେ। ଉକ୍ତ ଅଭିଭାବକ ଏ ସମ୍ପର୍କରେ ଜାଣିବା ପରେ ସେ ଗାଁକୁ ଫେରିଯାଇ ଅନ୍ୟ ଅଭିଭାବକମାନଙ୍କୁ ସୂଚନା ଦେଇଥିଲେ। ଫଳରେ ୧୦ ଜଣ ଅଭିଭାବକ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଉକ୍ତ ସ୍କୁଲରେ ପହଞ୍ôଚଥିଲେ। ସେତେବେଳେ ସ୍କୁଲ ମୁଖ୍ୟ ଫାଟକ ତାଲା ପଡ଼ିଥିଲା। ଗେଟ ଖୋଲିବା ପାଇଁ ଅଭିଭାବକମାନେ ଯେତେ ଡାକ ପକାଇଥିଲେ ମଧ୍ୟ ହେକି ଶୁଣି ନ ଥିଲେ।

ଫଳରେ କିଛି ଅଭିଭାବକ ଗେଟ ଡେଇଁ ସ୍କୁଲରେ ପ୍ରବେଶ କରିଥିଲେ। ସ୍କୁଲ ପରିସରରେ ଥିବା ୧୧ ଜଣ ଅନ୍ତେବାସୀ ଯେଉଁମାନଙ୍କର ବୟସ ୧୦ ବର୍ଷ ମଧ୍ୟରେ ସେମାନେ ନିଜ ସମ୍ପର୍କୀୟଙ୍କୁ ଦେଖି ଭୋ ଭୋ କାନ୍ଦିବାକୁ ଲାଗିଥିଲେ। ଉକ୍ତ ସ୍କୁଲ ପରିସରରେ କୌଣସି ଶିକ୍ଷକ, କର୍ମଚାରୀ ଓ ରାତ୍ର ଜଗୁଆଳ ମଧ୍ୟ ନ ଥିଲେ। ଘଟଣାସ୍ଥଳରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ୧୧ ଜଣ ଅନ୍ତେବାସୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ସ୍କୁଲରେ ଉପଯୁକ୍ତ ଭାବେ ଖାଇବାକୁ ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ।

ଉକ୍ତ ବିଦ୍ୟାଳୟର ସମ୍ପାଦକ ଓ ତାଙ୍କ ପତ୍ନୀ ଶିକ୍ଷାନୁଷ୍ଠାନ ନାଁରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେଠାରେ ରଖି ପାଠ ପଢ଼ାଇବା ନାଁରେ ଘର କାମରେ ନିୟୋଜିତ କରିବା, ଜମିରୁ ଧାନ କାଟିବା ଆଉ ବିଦ୍ୟାଳୟର ବାଡ଼ ଦେବା କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉଥିଲା। ଏପରିକି ରାତିରେ ବିଦ୍ୟାଳୟ କର୍ତ୍ତୃପକ୍ଷ କେହି ବିଦ୍ୟାଳୟ ପରିସରରେ ନ ରହି ତାଲା ପକାଇ ସେଠାରୁ ଚାଲି ଯାଇଥିବା ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ପିଲାଙ୍କୁ ରାତିରେ ଖାଇବାକୁ ଦେଇ ନ ଥିବା ଜଣାପଡ଼ିବାରେ ଖବର ପାଇ ମହୁଲପାଳ ଗ୍ରାମ କମିଟି ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ôଚ ଭୋକିଲା ପିଲାଙ୍କୁ ବିସ୍କୁଟ ଓ ପାଣି ଯୋଗାଇ ଦେଇଥିଲେ।

ରାତି ତମାମ ଅଭିଭାବକମାନେ ନିଜ ପିଲାଙ୍କୁ ଜଗି ରହିଥିଲେ। ସକାଳେ କାମାକ୍ଷାନଗର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜଳଧର ଲେଙ୍କା ଓ କାମାକ୍ଷାନଗର ଥାନା ସବଇନ୍ସ୍ପେକ୍ଟର ଶ୍ରୀନିବାସ ସେଠୀ ତଦନ୍ତ ଆରମ୍ଭ କରିଥିଲେ। ଘଟଣାର ସତ୍ୟାସତ୍ୟ ଜଣାପଡ଼ିବାରେ ପ୍ରଶାସନ ପକ୍ଷରୁ ୧୧ ଜଣ ନାବାଳକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଥିଲେ। ନାମଲେଖା ବେଳେ ଦେଇଥିବା ୨ ହଜାର ଟଙ୍କା ଫେରାଇବା ଉପରେ ଅଭିଭାବକମାନେ ମାନେ ଅଡ଼ି ବସିଥିଲେ। ହେଲେ ଉକ୍ତ ସ୍କୁଲର ସମ୍ପାଦକ ଓ ତାଙ୍କ ପତ୍ନୀ ଫେରାର ହୋଇଯିବାରୁ ପୁଲିସ ପ୍ରଶାସନ ସେମାନଙ୍କର କୌଣସି ପତ୍ତା ପାଇନାହିଁ। ବିଦ୍ୟାଳୟର ଅଧ୍ୟକ୍ଷା ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଷଡଯନ୍ତ୍ର କରାଯାଇଛି। ଏହି ଘଟଣାରେ କୌଣସି ସତ୍ୟତା ନାହିଁ।

ତେବେ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ଲେଙ୍କା କହିଛନ୍ତି ଯେ ଘଟଣାର ସତ୍ୟତା ରହିଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶଥାଉକି ୫ ବର୍ଷ ତଳେ ଏହି ବିଦ୍ୟାଳୟରେ ଆଦିବାସୀ ଛାତ୍ରଙ୍କୁ ଧାନ ରୋଇବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେତେବେଳେ ଶିକ୍ଷା ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଉକ୍ତ ଅନୁଷ୍ଠାନ ସରକାରୀ ଅନୁମୋଦନ ପାଇ ନ ଥିବାରୁ ତାହା ତାଲା ପଡ଼ିବା ସହ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆବାସିକ ବିଦ୍ୟାଳୟରେ ଥଇଥାନ କରାଯାଇଥିଲା।