ଦେବଗଡ଼,ଏନ୍ଏନ୍ଏସ୍: ସ୍ୱେଛାସେବୀ ସଂଗଠନ ‘ହ୍ୟାପି ଟୁ ହେଲ୍ପ’ ପୁଣିଥରେ ଜଣେ ସଡ଼କ ଦୁର୍ଘଟଣାରେ ପୀଡ଼ିତ ମହିଳାଙ୍କୁ ସହାୟତା ଦେଇ ନିଜର ମାନବିକତା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ବ୍ଲକ ଭାଲୁପାଲି ଗ୍ରାମର ନମିତା ପ୍ରଧାନ ବାରକୋଟ ଥାନା ନିକଟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ । ନମିତାଙ୍କର ସହାୟତା ପାଇଁ କେହି ନଥିବା ଦେଖି ‘ହ୍ୟାପି ଟୁ ହେଲ୍ପ’ ବାରକୋଟ ବ୍ଲକର ସଦସ୍ୟ ଲିଟୁ ମହାକୁଳ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ମାତ୍ର ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ଗୁରୁତର ମହିଳାଙ୍କୁ ନିଜ ଗାଡ଼ିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରେ ହ୍ୟାପି ଟୁ ହେଲ୍ପ ଦେବଗଡ଼ ଫାଉଣ୍ଡେସନ ସଭାପତି ସୁକଦେବ ଭଞ୍ଜ, ସମ୍ପାଦକ ଆଲୋକ ଅମାନ୍ତ, ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ରାଜ କିଶୋର ଦାସ, ସଦସ୍ୟ ସୁକାନ୍ତ ନାୟକ ଓ ଭୁବନ ନାୟକ ସମେତ ଅନେକ ସଦସ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୀଡ଼ିତାଙ୍କ ଚିକିତ୍ସା ସୁବିଧା କରିଥିଲେ ।