ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୀତତାପ ନିୟନ୍ତ୍ରିତ କକ୍ଷରୁ ଗତକାଲି ଜଣେ ନିଆଁରେ ପୋଡ଼ି ଗୁରୁତର ଥିବା ୭ ବର୍ଷୀୟା ଶିଶୁକନ୍ୟାକୁ କାଢ଼ି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଦିଆଯାଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଆଜି ‘ହ୍ୟାପି ଟୁ ହେଲ୍ପ’ ନାମକ ଏକ ସ୍ୱେଛାସେବୀ ସଂସ୍ଥା ଗୁରୁତର ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଏକ ଏସି କ୍ୟାବିନରେ ଭର୍ତ୍ତି କରିବା ସହ ସମସ୍ତ ଚିକତ୍ସା ଖର୍ଚ୍ଚ ବହନ କରିଛନ୍ତି । ଏହି ସମୟରେ ସଂଗଠନର ସଭାପତି ଶୁକଦେବ ଭଞ୍ଜ, ସଦସ୍ୟ ରାଜକିଶୋର ଦାସ, କାଉନସିଲର ଯତୀନ ନାୟକ, ଜିଲ୍ଲା ବିସିଜେଡି ସଭାପତି ପ୍ରତାପ କୁମାର ଦେବ, ସଦସ୍ୟ ଦୀପନ ନାୟକ ଓ ସୁକେନ ମୁଖିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏନେଇ ଜିଲ୍ଲା ମେଡିକାଲ ସୁପରିଟେଣ୍ଡେଣ୍ଟ ତଥା ଭେଷଜ ବିଶେଷଜ୍ଞ ଡା. ମନୋରଞ୍ଜନ ସାମଲଙ୍କ ମତାମତ ନେବାରୁ ଶିଶୁ କନ୍ୟାଟିକୁ ଦେୟଯୁକ୍ତ ଏସି କ୍ୟାବିନରେ ମାଗଣାରେ ରଖା ଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ସିଡିଏମଓଙ୍କ ନିର୍ଦ୍ଦେଶରେ ସାଧାରଣ କ୍ୟାବିନରେ ରଖା ଯାଇଥିଲା । ସେମାନେ ଚାହିଁଲେ ପୁଣିଥରେ ଦେୟଯୁକ୍ତ କ୍ୟାବିନକୁ ଯାଇପାରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟପଟେ ବିଧାୟକ ନିଜ ସୁଖ ସୁବିଧା ପାଇଁ ଜଣେ ଗୁରୁତର ଶିଶୁର ମୁହଁ ଚାହିଁନଥିବା ପ୍ରକାଶ କରିବା ସହ ତାଙ୍କ ଆଚରଣ ଅମାନବୀୟ ବୋଲି ‘ହ୍ୟାପି ଟୁ ହେଲ୍ପ’ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ବ୍ଲକ ଅନ୍ତର୍ଗତ ଚକ୍ରପାଲି ଗ୍ରାମର ଗୋବିନ୍ଦ ନାୟକଙ୍କ ୭ ବର୍ଷୀୟା ଶିଶୁ କନ୍ୟା ସ୍ନେହା ଜନ୍ମ ହେବାର ୭ ମାସ ପରେ ମା’ ଛେଉଣ୍ଡ ହୋଇଯାଇଥିଲା । ବାପା ଗୋବିନ୍ଦ ମଧ୍ୟ ଅନ୍ୟ ଜଣେ ସ୍ତ୍ରୀ ସହ ଘର ଛାଡ଼ି ଚାଲିଯିବା ପରେ ଅସହାୟ ଶିଶୁକନ୍ୟାର ଦାୟିତ୍ୱ ଜେଜେ ବାପା, ଜେଜେ ମା’ନେଇଥିଲେ । ଗତ ଜାନୁଆରୀ ମାସରେ ନିଆଁ ପୁଁ ଥିବାବେଳେ ସ୍ନେହାର ପିନ୍ଧା ଡ୍ରେସରେ ନିଆଁ ଲାଗିଯିବାରୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ । ପଡ଼ୋଶୀଙ୍କ ସହାୟତାରେ ନାତୁଣୀ ସ୍ନେହାକୁ ଜେଜେ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅର୍ଥ ଅଭାବରୁ ଗୁରୁତର ସ୍ନେହାକୁ ଚିକିତ୍ସାଧୀନ ଅବସ୍ଥାରେ ଜେଜେ ଘରକୁ ନେଇ ଆସିଥିଲେ । ତେବେ ଆଜବେଷ୍ଟ ଘରେ ଗରମ ବାତାବରଣରେ ସ୍ନେହାର ଘା’ ଗୁରୁତର ହେଉଥିବା ଦେଖି ନାତୁଣୀକୁ ବଞ୍ଚାଇବା ପାଇଁ ଜେଜେ ବିଭିନ୍ନ ଲୋକଙ୍କୁ ଗୁହାରି କରିଥିଲେ । ଏହି ଘଟଣା ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ପଡ଼ିବା ପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ଗୁରୁତର ସ୍ନେହାକୁ ଚକ୍ରପାଲି ଗ୍ରାମରେ ଥିବା ଜେଜେଙ୍କ ଘରୁ ଗତ ୨୫ ତାରିଖରେ ଉଦ୍ଧାର କରି ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଖାନା ପକ୍ଷରୁ ମାଗଣା ଚିକତ୍ସା ସୁବିଧା ଯୋଗାଇ ଦେବାସହ ସ୍ନେହାକୁ ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରେ ଭର୍ତ୍ତି କରାଯାଇଥିଲା । ସେହିପରି ବ୍ଲକ ଓଏଲଏମ କର୍ମଚାରୀସଂଗ୍ରହ କରିଥିବା ୩୦ ହଜାର ଟଙ୍କା ଓ ବଡ଼ିଓ ଆକାଶ ସାହୁ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ଗୁରୁତର ସ୍ନେହାର ଜେଜେ ମା’ ଓ ଜେଜେ ବାପାଙ୍କୁ ଡାକ୍ତରଖାନାକୁ ଯାଇ ଦେବାସହ ଶିଶୁର ଭଲମନ୍ଦ ବୁଝିଥିଲେ । ତେବେ ଗତ ୧ ତାରିଖରେ ଗିରଫ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି ଆସନ୍ତା ୭ ତାରିଖକୁ ଧାର୍ଯ୍ୟ ହୋଇଥିବାବେଳେ ଶ୍ରୀ ପାଣିଗ୍ରାହୀ ଅସୁସ୍ଥ ଅନୁଭବ କରିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତରଖାନା କ୍ୟାବିନର ଗୋଟିଏ କୋଠରୀ ଶୀତତାପ ନିୟନ୍ତ୍ରିତ ଥିବାରୁ ସେଠାରେ ପୂର୍ବରୁ ଚିକିତ୍ସାଧୀନ ଗୁରୁତର ସ୍ନେହାକୁ କାଢ଼ି ଉକ୍ତ ବିଧାୟକଙ୍କୁ ଦିଆଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।