ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା କଡ଼ିପରି ଗାଁ ନିକଟସ୍ଥ ଡଲାମୁଣ୍ଡା ଜଙ୍ଗଲ ମଧ୍ୟରେ ଥିବା ଏକ ପାଟିଲି ଗଛରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କଡ଼ିପାରି ଗାଁ ର କରୁଣାକର ମଲିକ । ମିଳିଥିବା ରିପୋର୍ଟ ମୁତାବକ, ମୃତ କରୁଣାକର ରବିବାର ସନ୍ଧ୍ୟା ସମୟରେ ଗାଈ ଖୋଜିବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କଲା ପରେ ମଧ୍ୟ ମୃତ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା । ତେବେ ସୋମବାର ସକାଳୁ ପୁଣି ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିବା ପରେ ଗାଁପାଖ ଜଙ୍ଗଲ ନିକଟରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ଓ ପରେ ମୃତ ଯୁବକଙ୍କ ବଡ଼ ଭାଇ ଗିରିଧାରୀ ମଲିକ ଗୋଛାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗୋଛାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ଗୋଛାପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲା । ଏହାସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନାଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି । ଅନ୍ୟପଟେ ପାରିବାରିକ କଳହରୁ ଯୁବକ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରିଛି ।