ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ଶବ ଉଦ୍ଧାର

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ଅଞ୍ଚଳର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ରୁଜାଙ୍ଗି ଗ୍ରାମର ପୀତବାସ ଦିଗାଲ(୬୧) । ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ପୀତବାସଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ପୀତବାସ ବୁଧବାର ଦଶହରା ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରିବା ପରେ ପୁଅ ସହ କୌଣସି କଥାକୁ ନେଇ ମନାନ୍ତର ହୋଇଥିଲା । ଏହାପରେ ପୀତବାସ ଦିନ ପ୍ରାୟ ୧ଟା ବେଳେ ଘରୁ ଯାଇ ଆଉ ଫେରି ନଥିଲେ । ଘରଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ସଦର ଥାନାରେ ଏକ ନିଖୋଜ ରିପୋର୍ଟ ଦାୟର କରିଥିଲେ । ଆଉ ଆଜି ସକାଳୁ ଗାଁ ନିକଟସ୍ଥ ଜଙ୍ଗଲର ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୁଲିସକୁ ସୂଚନା ଦେବା ପରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ମୃତକଙ୍କ ସ୍ତ୍ରୀ ପ୍ରେମଶୀଳାଙ୍କ ଏତାଲାକ୍ରମେ ସଦର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ନେଇ ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ।