ହସ୍ତତନ୍ତ ରାଷ୍ଟ୍ରୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେଲେ ୫ ଜଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୭ ମସିହା ପାଇଁ ଓଡ଼ିଶାର ୫ ଜଣ ହସ୍ତଶିଳ୍ପୀ ରାଷ୍ଟ୍ରୀୟ ପୁରସ୍କାର ଓ ୩ ଜଣ ରାଷ୍ଟ୍ରିୟ ମେରିଟ୍ ସାର୍ଟିଫିକେଟ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମନ୍ତ୍ରୀ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ, ଓଡ଼ିଶା ପଦ୍ମିନୀ ଦିଆନ ଏହି ଅବସରରେ କୃତୀ ହସ୍ତଶିଳ୍ପୀଙ୍କୁ ଶୁଭ କାମନା ପ୍ରଦାନ କରିବା ସହ ବିଗତ ବର୍ଷର ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀଙ୍କ ସହ ଏକ ଆଲୋଚନା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରୁଛନ୍ତି । ଏହି ବର୍ଷରେ ଓଡ଼ିଶାରୁ ୮ ଜଣ ଶିଳ୍ପୀ ରାଷ୍ଟ୍ରୀୟ ସ୍ତରରେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଯାହାକି ବିଗତ ୨୫ ବର୍ଷ ମଧ୍ୟରେ ସର୍ବାଧିକ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ୧୯୬୭ ମସିହାରୁ ୨୦୧୭ ମସିହା ପର୍ୟ୍ୟନ୍ତ ଆମ ରାଜ୍ୟର ହସ୍ତଶିଳ୍ପୀମାନେ ସମୁଦାୟ ୧୬୫ ଗୋଟି ଜାତୀୟ ହସ୍ତଶିଳ୍ପ ପୁରସ୍କାର ଓ ଜାତୀୟ ମେରିଟ୍ ସାର୍ଟିଫିକେଟ୍ ପ୍ରାପ୍ତ ହୋଇଛନ୍ତି । ଏତଦବ୍ୟତୀତ ଆମ ରାଜ୍ୟରୁ ୧୧ ଜଣ ଶିଳ୍ପଗୁରୁ, ୩ ଜଣ ପଦ୍ମଶ୍ରୀ ଓ ୧ ଜଣ ପଦ୍ମବିଭୂଷଣ ପାଇବାର କୃତିତ୍ୱ ହାସଲ କରିଛନ୍ତି । ଓଡ଼ିଶା ସରକାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶପାଇଁ ବିଭିନ୍ନ ପ୍ରୋତ୍ସାହନମାନ ପ୍ରଦାନ କରୁଛନ୍ତି । ତନ୍ମଧ୍ୟରୁ ବଜାର ସହାୟତା ଅନ୍ୟତମ ।

ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଉପଦିତ ସାମଗ୍ରୀ ଗୁଡ଼କର ବିକ୍ରିବଟାର ସହାୟତା ନିମନ୍ତେ ଉପରୋକ୍ତ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଧେଶାଳୟ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରଦର୍ଶନୀମାନ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ଏହି ନିର୍ଦ୍ଧେଶାଳୟ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଜନତା ମଇଦାନ, ଭୁବନେଶ୍ୱରଠାରେ ଫେବୃୟରୀ ୭ରୁ ୧୬ ତାରିଖ ପର୍ୟ୍ୟନ୍ତ ଆାୟୋଜନ କରାଯାଇଅଛି । ଏହି ଅବସରରେ ୧୦୪ ଗୋଟି ଷ୍ଟଲ୍ ନିର୍ମାଣ କରାଯାଇ ୧୧୨ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଇଛି ।

ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ ଗୋଟି ହସ୍ତଶିଳ୍ପ ମଧ୍ୟରୁ ପ୍ରାୟ ୨୮ ଗୋଟି ହସ୍ତଶିଳ୍ପକୁ ନେଇ ୨୩ ଗୋଟି ଜିଲ୍ଲାର ହସ୍ତଶିଳ୍ପ କାରିଗରମାନେ ଭାଗ ନେଇଅଛନ୍ତି । ଏତଦ୍ଭିନ୍ନ ଦର୍ଶକ ଏବଂ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଡ଼ିଶାର ବିଭିନ୍ନ ଅଂଚଳର ପ୍ରସିଦ୍ଧ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ସନ୍ଧ୍ୟାରେ ସ୍ୱନାମଧନ୍ୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମର ବ୍ୟବସ୍ଥା କରାଯାଇଅଛି । ଏହି ଉ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ପେଶାଲ ସେକ୍ରେଟାରୀ ଶ୍ରୀକାନ୍ତ ନିର୍ଦ୍ଧେକ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ, ବି. କେ. ଦାଶ ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ବିଭାଗୀୟ ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜଳି ପଣ୍ଡା ଉପସ୍ଥିତ ଥିଲେ ।