ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ବଡ଼ମାଲ ଗୋଲାବାରୁଦ କାରଖାନା ପ୍ରତିରକ୍ଷା ବିଭାଗରେ ପ୍ରାଇଭେଟ ସିକ୍ୟୁରୁଟି ଭାବେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କୁ କାରଖାନା ପକ୍ଷରୁ ଉଛେଦ କରି ସୁରକ୍ଷା ବୋର୍ଡ କାର୍ଯ୍ୟରେ ଏକ୍ସ ଆର୍ମି ମାନଙ୍କୁ ନିଯୁକ୍ତି କରିଥିବା ନେଇ ଜଣାପଡିବା ପରେ ଘରେଇ ସୁରକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଅନେକ ଥର ପ୍ରତିବାଦ ହୋଇଥିବା ବେଳେ କାରଖାନାର ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ, ଟିଟିଲାଗଡ଼ ଏସ୍ଡିପିଓ ସୁରେନ୍ଦ୍ର ନାଥ ସତପଥୀ ଓ ଘରେଇ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ହେଲେ ସମସ୍ୟାର ସମାଧାନ ହୋଇନ ଥିବା ବେଳେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଆଜି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି।ସେହିପରି ବଲାଙ୍ଗିର ସଂସାଦ ସଂଗୀତା କୁମାରୀ ସିଂଦେଓଙ୍କ ଠାରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
