ଜାତୀୟ ରାଜପଥର ଦୟନୀୟ ଅବସ୍ଥା: ଯାତ୍ରୀବାହି ଗାଡି ଚଳାଚଳ ବନ୍ଦ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ କାଦୋପଡା ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୩ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନ ଧରି ମରାମତି ଅଭାବରୁ ଆଉ ବ୍ୟବହାର ଉପଯୋଗୀ ହୋଇନାହିଁ। ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି। ଫଳରେ ଗତ ପ୍ରାୟ ଏକ ସପ୍ତାହ ଧରି ଉକ୍ତ ରାସ୍ତା ଦେଇ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ହୋଇଛି। ଏଥି ଯୋଗୁଁ ଉକ୍ତ ଅଞ୍ଚଳର ଜନ ସାଧାରଣ ଦୈନନ୍ଦିନ କାର୍ଯ୍ୟରେ ବ୍ଲକ ମୁଖ୍ୟାଳୟ ହେଉ କି ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରଖାନା ଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ଗତ ୨ ଦିନ ତଳେ ଏକ ଭାରୀଯାନ ରାଉରକେଲା ପଟୁ ଆସୁଥିବା ବେଳେ ରାସ୍ତାର ସ୍ଥିତି କାରଣରୁ ରାସ୍ତା ମଝିରେ ଅଚଳ ହୋଇ ପଡ଼ିଥିବା ବେଳେ ଜାତୀୟ ରାଜପଥ କାଦୁଅ ପୋଖରୀ ପାଲଟି ଥିବାରୁ ଭାରୀଯାନକୁ ମରାମତି କରିବା ମଧ୍ୟ ଅସମ୍ଭବ ହୋଇପଡିଥିଲା। ଅଞ୍ଚଳବାସୀ ଏ ନେଇ ସ୍ଥାନୀୟ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ରାତି ପାହିଲେ ଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଜାତୀୟ ରାଜପଥ କଡରେ ଥିବା କାଦୋପଡା ଗ୍ରାମବାସୀ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା କାରଣରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।