ପାକିସ୍ତାନ ପଂଜାବର ମୁଖ୍ୟମନ୍ତ୍ରୀ ହେଲେ ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫଙ୍କ ପୁଅ ହମ୍‌ଜା

ଲାହୋର,ଏଜେନ୍ସି: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ଥିବା ବେଳେ ପଂଜାବକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ଏହି ପଦବୀ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ହମ୍‌ଜା ଶହବାଜଙ୍କୁ ପଂଜାବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି । ହମଜା ହେଉଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କ ପୁଅ ।

ସୂଚନାଯୋଗ୍ୟ, ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ପଂଜାବ ରାଜ୍ୟରେ ଏପ୍ରିଲ ୧୬ରେ ନିର୍ବାଚନ ହେବ । ଏହି କାରଣରୁ ଶନିବାର ରାଜ୍ୟ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । କିନ୍ତୁ ଇମ୍ରାନ ଖାନଙ୍କ ପାର୍ଟିର ନେତାଙ୍କ ଉପରେ ଅଭିଯୋଗ ଆସିଥିଲା ଯେ, ସେମାନେ ବିଧାନସଭା ବାଚସ୍ପତିଙ୍କୁ ଚାପୁଡା ମାରିଥିଲେ । ଏହି ହଙ୍ଗାମା ଭିତରେ ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ରାଜା ପରଭେଜ ଅଶରଫଙ୍କୁ ନ୍ୟାସନାଲ ଆସେମ୍ବଲିର ବାଚସ୍ପତି କରାଗଲା ।

ପୂର୍ବ ସରକାର ଭାଙ୍ଗିବା ପରେ ସଂସଦ ଭଙ୍ଗ କରି ଉପବାଚସ୍ପତି କାସିମ ସୁରୀ ଶନିବାର ଇସ୍ତଫା ଦେଇଥିଲେ । ଏସବୁ ଭିତରେ ପଂଜାବକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । ହମଜା ଶହବାଜଙ୍କ ପକ୍ଷରେ ୧୯୭ ଭୋଟ ପଡିଥିଲା । ଏହି ଦୌଡରେ ପିଟିଆଇର ତରଫରୁ ପରଭେଜ ଇଲାହୀ ମଧ୍ୟ ଥିଲେ । କିନ୍ତୁ ପିଟିଆଇକୁ ଭୋଟରୁ ବହିସ୍କାର କରାଯାଇଥିଲା ଏବଂ ହମଜା ଶହବାଜ ଏକତରଫ ନିର୍ବାଚନ ଜିତିଥିଲେ ।