ଆସାମରେ କାଳବୈଶାଖୀ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୨୦୦୦୦ ଲୋକେ ପ୍ରଭାବିତ

ଗୁଆହାଟୀ,ଏଜେନ୍ସି: ଆସାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜୋର୍‌ରେ ପବନ ବହିବା, ବଜ୍ରାଘାତ ଓ ବର୍ଷା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି । କାଳବୈଶାଖୀରେ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୫୮୦୯ଛପର ଘର ଓ ୬୫୫ ପକ୍କା ଘର ଆଂଶିକ ଭାବେ କ୍ଷତିହୋଇଛି । ସେହିପରି ୮୫୩ ଛପର ଘର ଓ ୨୭ଟି ପକ୍କା ଘର ସଂପୂର୍ଣ୍ଣରୂପେ କ୍ଷତି ହୋଇଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷ (ଏଏସ୍‌ଡିଏମ୍‌ଏ) ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୧୪ରୁ ୧୫ ଭିତରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ କାଳବୈଶାଖୀର ପ୍ରଭାବରେ ଘୁର୍ଣ୍ଣିଝଡ଼, ବଜ୍ରପାତ ଓ ବର୍ଷ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡେବ୍ରୁଗଡ଼, ବରପେଟା, ଗୋଲପରା, କାମରୁପ, ନଳବାରୀ, ଚିରାଙ୍ଗ, ଡରାଙ୍ଗ, ଚାଚର, ଗୋଲାଘଶଟ, କାର୍ବି ଆଙ୍ଗଲୋଙ୍ଗ, ଉଦଳଗୁରି, କାମରୁପ ଜିଲ୍ଲାରେ କାଳବୈଶାଖୀ ଦେଖିବାକୁ ମିଳିଛି । କାଳବୈଶାଖୀ ଯୋଗୁଁ ୨୦ ହଜାର ୨୮୬ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସହାୟତା ପ୍ରଦାନ କରାଯିବ ।