ପଦ୍ମଶ୍ରୀ ହଳଧର ନାଗଙ୍କୁ ଚଇତି ସମ୍ମାନ

ରାୟଗଡା,ଏନ୍ଏନ୍ଏସ୍: ଚଳିତ ବର୍ଷ ପାଳିତ ହେଉଥିବା ରାୟଗଡା ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ୍ୟ ଉତ୍ସବ ଚଇତିର ଚତୁର୍ଥ ସନ୍ଧ୍ୟାରେ ରାୟଗଡ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମାନ୍ୟବର ମନ୍ତ୍ରୀ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପଦ୍ମିନୀ ଦିଆନ ମୂଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏହି ଚଇତି ମହୋତ୍ସବକୁ କ୍ୟାଲଣ୍ଡର ସ୍ଥାନ ଦେବା ପାଇଁ ପ୍ରୟାସ କରିବା ଦରକାର।

ଏହି ମହୋତ୍ସବ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ଏକ ମାଧ୍ୟମ। ଏହି ମଣ୍ଡପରେ ସେମାନେ ନିଜ ନିଜର ପ୍ରତିଭା ଓ ପରାକାଷ୍ଠାକୁ ପ୍ରଦର୍ଶନ କରି ଦେଶ ଓ ବିଦେଶରେ ଖ୍ୟାତି ଆଣିପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏହି ଚଇତି ମାଧ୍ୟମରେ ହୋଇଥିବା ଷ୍ଟଲ ମାନଙ୍କର ବିଭିନ୍ନ ପ୍ରକାରର ଜିନିଷ ବିକ୍ରୟ ହୋଇଥାଏ ଏହା ଦ୍ୱାରା ଜନସାଧାରଣ ଗୋଟିଏ ଜାଗାରେ ସବୁ ପ୍ରକାରର ଘରୋଇ ଜିନିଷ ସୁବିଧାରେ କ୍ରୟ କରିଥାଆନ୍ତି। ଏଣୁ ସେ ଉପସ୍ଥିତ ଜନତାଙ୍କୁ ଚଇତିର ଭରପୁର ମଜା ଉଠାଇବାକୁ ନିବେଦନ କରିଥିଲେ। ଚଇତିର ଆୟୋଜକ ମାନଙ୍କୁ ସଫଳ ଆୟୋଜନ ନିମନ୍ତେ ପ୍ରଶଂସା କରିଥିଲେ।

ଚଇତି ଚତୁର୍ଥ ସନ୍ଧ୍ୟାରେ ଉଦଘୋଷକ ଅଧ୍ୟାପକ ଦିଲୀପ କୁମାର ହୋତା ଓ ଉଦଘୋଷିକା ବିଦିଶା ଶତପଥୀଙ୍କ ସଂଯୋଜନାରେ ଭୂବନେଶ୍ୱରର ପ୍ରଜ୍ଞା ନୃତ୍ୟ ଗ୍ରୁପର ଓଡିଶୀ ନୃତ୍ୟ, ବୀରନରସିଂହପୁର ଭଗବତୀ ଗୋଟିପୁଅ କଳା କେନ୍ଦ୍ରର ଗୋଟିପୁଅ ନୃତ୍ୟ, ପୁରୁଲିଆର ଛଉ ନୃତ୍ୟ ଓ ପଦ୍ମଶ୍ରୀ ହଳଧର ନାଗଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମାତୁଆଲ କରିଦେଇଥିଲା। ଏହି ଅବସରରେ ରାଜ୍ୟ ସ୍ତରୀୟ କ୍ରୀଡାରେ ଉତକୃଷ୍ଟ ବିବେଚିତ କ୍ରୀଡାବିତଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ଦ୍ୱାରା ଉପଢୌକୋନ, ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା।

  • ୩ଦିନରେ ବ୍ୟବସାୟ ୨.୫କୋଟି

ଚଇତିରେ ବ୍ୟବସାୟୀଙ୍କ ବେପାର ଜମୁଛି। ତୃତୀୟ ଦିନ ଶେଷ ବଳକୁ ମୋଟ ବ୍ୟବସାୟ ୨.୫କୋଟିଟଙ୍କା ପରିସଂଖ୍ୟାନ ପାର ହୋଇଛି। ସ୍ୱଂଶାସିତ ମହିଳା ଗ୍ରୁପ ପକ୍ଷରୁ ଲଗାଯାଇଥି ଷ୍ଟଲରେ ତିନିଦିନ ମଧ୍ୟରେ ସର୍ବଧିକ ୧୧୯.୬୪ଲକ୍ଷଟଙ୍କା ବ୍ୟବସାୟ ହୋଇଥିବାବେଳେ ଅନ୍ୟପଟେ ଜିଲା ପ୍ରଶାସନ ମିଶନ ଶକ୍ତି ତରଫରୁ ଚଇତି ପଡିଆରେ କରାଯାଇଥିବା ଷ୍ଟଲରେ ମୋଟ ୧୭.୪୮ଲକ୍ଷଟଙ୍କା ବାଣିଜ୍ୟ ହୋଇଛି। ସେହିପରି ଫାଷ୍ଟଫୁଟ ଜନିତ ଖାଦ୍ୟ ସାମଗ୍ରୀ, କୃଷିଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ଷ୍ଟଲ ଗୁଡିକରୁ ମୋଟ ୧୫୩.୯୭ଲକ୍ଷଟଙ୍କା ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୧୯ରେ ତୃତୀୟ ଦିନ ଶେଷ ଯାଏଁ ଏହି ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ତେବେ ଆଗାମୀ ଦୁଇଦିନରେ ଚଇତିରେ ବାଣିଜ୍ୟ ୪କୋଟି ଟପିବା ନେଇ ଜିଲା ପ୍ରଶାସନ ଆକଳନ କରିଛି।