ପାକିସ୍ତାନକୁ ଭାରତୀୟ ଲଢୁଆ ବିମାନ ସମ୍ପର୍କରେ ଗୋପନ ତଥ୍ୟ ଯୋଗାଣ ଅଭିଯୋଗରେ ‘ହାଲ୍‌’ କର୍ମଚାରୀ ଗିରଫ

ନାସିକ,ଏଜେନ୍ସି: ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌)ର ନାସିକ ଶାଖାରେ ଏକ ବଡଧରଣର ଗୁଇନ୍ଦାଗିରି ଘଟଣା ସାମନାକୁ ଆସିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଗୋପନ ତଥ୍ୟ ଯୋଗାଉଥିବା ଅଭିଯୋଗରେ ‘ହାଲ୍‌’ର ଜଣେ କର୍ମଚାରୀଙ୍କୁ ମହାରାଷ୍ଟ୍ରର ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ ଗିରଫ କରିଛି । ସେ ଭାରତର ଲଢୁଆ ବିମାନ କାର୍ଯ୍ୟକ୍ରମ ସମ୍ପର୍କରେ ଗୋପନ ତଥ୍ୟ ଆଇଏସ୍‌ଆଇକୁ ଯୋଗାଉଥିବା ଅଭିଯୋଗ ହୋଇଛି । ନାସିକରେ ନିର୍ମାଣ କରାଯାଉଥିବା ଭାରତର ଆଗାମୀ ଲଢୁଆ ବିମାନ ପ୍ରକଳ୍ପ, ବର୍ତ୍ତମାନ ନିର୍ମାଣ କରାଯାଉଥିବା ଲଢୁଆ ବିମାନ ଆଦି ସମ୍ପର୍କରେ ସେ ତଥ୍ୟ ଯୋଗାଉଥିଲା ବୋଲି ଏଟିଏସ୍ କହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଏକ ୫ମ ପୀଢିର ଲଢୁଆ ବିମାନ ନିର୍ମାଣ ପାଇଁ ଯୋଜନା କରୁଛି ।

ନାସିକର ଓଝାରଠାରେ ହାଲ୍‌ର ଏକ କାରଖାନା ରହିଛି । ତାହା ନିକଟରେ ଏକ ଲଢୁଆ ବିମାନ ଘାଟି ମଧ୍ୟ ରହିଛି । ଏହି ବିମାନ ଘାଟିରେ ହାଲ୍ ନିଜର ବିମାନଗୁଡିକର ପରୀକ୍ଷଣ କରିଥାଏ । ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ର ଧାରା ୩, ୪ ଓ ୫ ଅନୁସାରେ ଏହି ଗିରଫଦାରୀ ହୋଇଛି ବୋଲି ଏଟିଏସ୍ କହିଛି । ତାକୁ ଜେରା ବେଳେ ସେ ଆଇଏସ୍‌ଆଇ ଏଜେଣ୍ଟମାନଙ୍କ ସହ ନିୟମିତ ଭାବେ ଯୋଗାଯୋଗରେ ରହୁଥିଲା ଓ କ୍ଳାସିଫାଏଡ୍ ବା ଗୋପନୀୟ ତଥ୍ୟ ଯୋଗାଉଥିଲା ବୋଲି ସ୍ୱୀକାର କରିଛି ।