ପଶ୍ଚିମବଙ୍ଗରେ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ୧୦୦ରୁ ଊର୍ଦ୍ଧ୍ବ ଆହତ

କୋଲକାତା,ଏଜେନ୍ସି: ଦକ୍ଷିଣ ପଶ୍ଚିମବଙ୍ଗରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ଜଲପାଇଗୁଡ଼ି ନିକଟସ୍ଥ ମୋୟନଗୁରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୬ଟି କୋଚ ଲାଇନଚ୍ୟୁତ ହୋଇଛି। ଏହାସହିତ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ୧୦୦ ଜଣରୁ ଅଧିକ ଯାତ୍ରୀ ଆହତ ଥିବା ଜଣାପଡ଼ିଛି। ଟ୍ରେନରେ ୧୨୦୦ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି। ଦୁର୍ଘଟଣା ସ୍ଥଳରେ ପ୍ରାୟ ୩୦ଟି ଆମ୍ବୁଲାନ୍ସ ରହି ଆହତ ଓ ମୃତଦେହର ଉଦ୍ଧାର କାର୍ଯ୍ୟରେ ଲାଗିଛି ।

ଦୁର୍ଘଟଣା ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାରେ ସମସ୍ୟା ଉପୁଜିଛି। ତଥାପି ଉଦ୍ଧାରକାରୀ ଟିମ ପ୍ରଚେଷ୍ଟା ଜାରି ରଖିଛନ୍ତି। ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଲାଇଟ୍‌ର ବ୍ୟବସ୍ଥା କରିଛନ୍ତି। ଘଟଣାସ୍ଥଳରେ ଅଲିପୁର୍‌ଦୁଆରର ଡିଆରଏମ୍ ପହଞ୍ଚିଛନ୍ତି।

ରେଳ ବିଭାଗର ସୂଚନା ମୁତାବକ ଦୁର୍ଘଟଣା ଘଟିବା ସମୟରେ ଟ୍ରେନର ଘଣ୍ଟା ପ୍ରତି ବେଗ ୫୦ କିଲୋମିଟର ରହିଥିଲା। ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏଥିଲାଗି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହେଉଥିବା ଜଣାପଡ଼ିଛି।