ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦିଆଯିବ ୫ ଲକ୍ଷର ଅନୁକମ୍ପା ରାଶି, କାଲି ଦୁର୍ଘଟଣା ସ୍ଥଳକୁ ଯିବେ ରେଳମନ୍ତ୍ରୀ

କୋଲକାତା,ଏଜେନ୍ସି: ଗୌହାଟୀ-ବିକାନେର୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସାହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ। ସେହିପରି ସାମାନ୍ୟ ଆହତଙ୍କୁ ମଧ୍ୟ ୨୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବା ନେଇ ଟ୍ବିଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ।

ଆହୁରି ମଧ୍ୟ ରେଲମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦୁର୍ଘଟଣା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ସୂଚନା ପ୍ରଦାନ କରିଛନ୍ତି। ସେ ଆସନ୍ତାକାଲି ନିଜେ ଦୁର୍ଘଟଣା ସ୍ଥଳ ଗସ୍ତ କରି ସମୀକ୍ଷା ମଧ୍ୟ କରିବେ। ରେଳମନ୍ତ୍ରୀ କହିଛନ୍ତି, ସେଠାରେ ବର୍ତ୍ତମାନ ଏନଡିଆର୍‌ଏଫ୍ ଟିମ ମୂତୟନ ହେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ଦୁଇଟି ଟିମ ସେଠାରେ କାର୍ଯ୍ୟ ଜାରି ରଖିଛନ୍ତି।