୭ ଦିନ ଯାଏଁ ଗୁଣୁପୁର ସଟଡାଉନ, ରାସ୍ତାଘାଟ ଖାଁ ଖାଁ

ଗୁଣୁପୁର/ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ଗୁଣୁପୁର କରୋନା ହଟସ୍ପଟ ପାଲିଟିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ବିଶେଷ କରି ଗୁଣୁପୁର ମୁନିସପାଲିଟି ଅଞ୍ଚଳର ଶାନ୍ତି ନଗର ଓ ଗୁଣୁପୁର ବ୍ଲକ ବିଜୟପୁର ଗ୍ରାମ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି। ଫଳରେ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଗୁଣୁପୁର ମୁନିସପାଲିଟି ଓ ସିରିଝୋଲି ପଞ୍ଚାୟତକୁ ସଡ଼ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଅନ୍ୟପଟେ ଘରୁ ପଦାକୁ ଯେପରି କେହି ନ ବାହାରିବେ ସେନେଇ ପୁଲିସ ତରଫରୁ ପାଟ୍ରୋଲିଂ କଡାକଡି କରାଯାଉଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଥିବା ବେଳେ କେବଳ ବିଜୟପୁର ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେହିପରି ରାମନାଗୁଡା ବ୍ଲକରେ ମଧ୍ୟ ସଟଡାଉନର ପ୍ରଭାବ ଅନୁଭୂତ ହୋଇଛି।