ଫାଇନାଲ୍‌ ପାଇଁ ଲଢିବେ ଚେନ୍ନାଇ-ଗୁଜୁରାଟ

ଚେନ୍ନାଇ,ଏଜେନ୍ସି: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ରବିବାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳାଯିବା ପରେ ପ୍ଲେଅଫ୍ ପାଇଁ ୪ଟି ଟିମ୍‌ ଯୋଗ୍ୟତା ପାଇଛନ୍ତି । ଏଥି ମଧ୍ୟରୁ ଶୀର୍ଷ ଦୁଇ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମଧ୍ୟରେ ମଙ୍ଗଳବାର ଏଠାକାର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ଠାରେ କ୍ୱାଲିଫାୟର୍‌-୧ ଖେଳାଯିବ । ଏଥିସହ ଆଇପିଏଲ୍‌ର ଚଳିତ ସଂସ୍କରଣର ଅନ୍ତିମ ସପ୍ତାହ ମଧ୍ୟ ଆରମ୍ଭ ହେବ । କ୍ୟାରିଅର୍‌ର ଶେଷ ଥର ପାଇଁ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବାକୁ ଥିବାରୁ ଷ୍ଟାଡିୟମ୍ ନିଶ୍ଚିତ ଭାବେ ହାଉସ୍‌ଫୁଲ୍ ରହିବ । କାରଣ ୪୧ ବର୍ଷୀୟ ଧୋନିଙ୍କର ଚେନ୍ନାଇ ଫ୍ୟାନ୍‌ଙ୍କ ନିକଟରେ ଅସମ୍ଭବ କ୍ରେଜ୍ ରହିଛି ।

ଧୋନିଙ୍କର ଏହା ଅନ୍ତିମ ଆଇପିଏଲ୍ ହୋଇଥିବାରୁ ଚେନ୍ନାଇ ବ୍ୟତୀତ ଅନ୍ୟାନ୍ୟ ଭେନ୍ୟୁରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଯଥେଷ୍ଟ ଭିଡ଼ ଦେଖିବାକୁ ମିଳିଛି । ନିଜର ଅବସର ନେଇ କୌଣସି ଠୋସ୍ ସୂଚନା ନ ଦେଇ ଧୋନି ଫ୍ୟାନ୍‌ମାନଙ୍କ କୌତୂହଳ ବଢ଼ାଇ ଚାଲିଛନ୍ତି । ତେଣୁ ଫ୍ୟାନ୍‌ମାନେ ନିଜର ପ୍ରିୟ ଖେଳାଳିଙ୍କ ଅନ୍ତିମ ମ୍ୟାଚ୍ ଦେଖିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ତେଣୁ ଗତ ସଂସ୍କରଣଗୁଡ଼ିକ ତୁଳନାରେ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ମ୍ୟାଚ୍ ଦେଖିବା ସକାଶେ ଫ୍ୟାନ୍‌ଙ୍କ ଆଗ୍ରହ ଯଥେଷ୍ଟ ଅଧିକ ପରିଲକ୍ଷିତ ହୋଇଛି ।

୪ ଥରର ଚାମ୍ପିଅନ୍ ଚେନ୍ନାଇ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ମଧ୍ୟରେ ହେବାକୁ ଥିବା ମୁକାବିଲାଟି ଯେ ରୋମାଞ୍ଚକର ହେବ, ଏଥିରେ ସାମାନ୍ୟତମ ଦ୍ୱନ୍ଦ୍ୱ ନାହିଁ । କାରଣ ଗୋଟିଏ ଦଳର ନେତୃତ୍ୱ ଅଭିଜ୍ଞ ଧୋନି ନେଉଥିବା ବେଳେ ଅନ୍ୟ ଦଳଟିର ନେତୃତ୍ୱ ଜଣେ ଉଦୀୟମାନ ଅଧିନାୟକଙ୍କ ହାତରେ ରହିଛି । ଧୋନିଙ୍କ ଦୃଢ଼ ଓ ଚତୁର ନେତୃତ୍ୱ ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଶାଣିତ କରିପାରିଛି । ଶିବମ୍ ଦୁବେ ହୁଅନ୍ତୁ ଅବା ମାଥିଶା ପାଥିରାନାଙ୍କ ପରି ଯୁବ ଖେଳାଳି ଅବା ଆଜିଙ୍କ୍ୟ ରାହାଣେଙ୍କ ପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌, ସମସ୍ତେ ଧୋନିଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ ଦଳ ପଏଣ୍ଟ୍ ଟେବଲ୍‌ରେ ଦ୍ୱିତୀୟ ସ୍ଥାନରେ ରହିପାରିଛି । ଅନ୍ୟପକ୍ଷରେ ଗୁଜରାଟ ମଧ୍ୟ ଶୁବମାନ ଗିଲ୍‌ଙ୍କ ପରି ଯୁବ ବ୍ୟାଟ୍ସମ୍ୟାନ୍ ଓ ମହମ୍ମଦ ଶମିଙ୍କ ପରି ଅଭିଜ୍ଞ ବୋଲରଙ୍କ ସ୍ଥିର ପ୍ରଦର୍ଶନ କାରଣରୁ ପଏଣ୍ଟ୍ ଟେବଲ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ମଙ୍ଗଳବାରର ମ୍ୟାଚ୍ ଜିତିଲେ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଖେଳିବ ।

ଏଥିସହ ଦଳ ଟାଇଟଲ୍ ଜିତିବା ପାଇଁ ୧.୩୨ ଲକ୍ଷ ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟ ପାଇପାରିବ । କାରଣ ଆସନ୍ତା ୨୮ ତାରିଖର ଫାଇନାଲ୍ ମ୍ୟାଚ୍‌ଟି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ଗିଲ୍ ରବିବାର ମ୍ୟାଚ୍‌ରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରି ଅରେଞ୍ଜ୍ କ୍ୟାପ୍ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ପ୍ରଥମ ସ୍ଥାନରେ ଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍‌ଙ୍କ ଅଭିଯାନ ଶେଷ ହୋଇସାରିଥିବାରୁ ଗିଲ୍‌ଙ୍କ ପାଖରେ ସର୍ବାଧିକ ସ୍କୋରର୍ ହେବାର ସୁଯୋଗ ରହିଛି । ଡୁ ପ୍ଲେସିସ୍ ୭୩୦ ରନ୍ କରିଥିବା ବେଳେ ଗିଲ୍ ୬୮୦ ରନ୍ କରିସାରିଛନ୍ତି । ତାଙ୍କ କ୍ରମାଗତ ଶତକ ବଳରେ ଗୁଜରାଟ ଚତୁର୍ଦ୍ଦଶ ମ୍ୟାଚ୍‌ରେ ଦଶମ ବିଜୟ ହାସଲ କରିଥିଲା ।