କାଶ୍ମୀରରେ ଜି-୨୦ ବୈଠକ: ୩ ଦଶନ୍ଧୀ ପରେ କୌଣସି ଅନ୍ତର୍ଜାତୀୟ ବୈଠକ

ଶ୍ରୀନଗର: ତିନି ଦଶନ୍ଧୀ ପରେ ଜାମ୍ମୁ କାଶ୍ମୀରରେ ଅନ୍ତର୍ଜାତୀୟ ବୈଠକ। ଶ୍ରୀନଗରରେ ଆରମ୍ଭ ହୋଇଛି ଜି-୨୦ ପର୍ଯ୍ୟଟନ ଗୋଷ୍ଠୀର ୱାର୍କିଂ ଗ୍ରୁପ ବୈଠକ । ତମାମ ଅପପ୍ରଚାର,ଷଡଯନ୍ତ୍ରକୁ ପଣ୍ଡ କରି ଭାରତ ସରକାର ଏହି ବୈଠକ କରିବାକୁ ସଫଳ ହୋଇଛନ୍ତି । ଧରିତ୍ରୀର ଏହି ଜନ୍ନତରେ ଦିନ ଫୁଟୁଥିଲା ଗୁଳି । ବର୍ଷୁଥିଲା ବୋମା । ବିଛା ହେଉଥିଲା ଲ୍ୟାଣ୍ଡମାଇନ । ବିଦେଶୀତ ଦୂରର କଥା, ଦେଶମଧ୍ୟରୁ କେହି କାଶ୍ମୀର ଯିବାକୁ ଭୟ କରୁଥିଲେ । ହେଲେ ସମୟ ସହିତ ବଦଳଛି ସ୍ଥିତି । ଭାରତବର୍ଷର ମୁକୁଟରେ ଶୋଭା ପାଉଛି ତ୍ରିରଙ୍ଗା । ଗୁଳି ବଦଳରେ ଫୁଟୁଛି ଗୋଲାପ । ବୋମା ବଦଳରେ ବର୍ଷୁଛି ବିକାଶ । ଡାଲ ହ୍ରଦରେ ଆଉ ନାହିଁ ଡର । ସ୍ବଦେଶୀ ବିଦେଶୀ ଏବେ ସଭିଏଁ ମଜା ନେଉଛନ୍ତି ଏହି ଭୂସ୍ବର୍ଗର ।

ଏହା ଆଉ ପାଦେ ଆଗକୁ ଯାଇ ଆଜି ଆୟୋଜିତ ହେଉଛି ଅନ୍ତର୍ଜାତୀୟସ୍ତରର ବୈଠକ। ଭାରତ ସରକାରଙ୍କ ଦୃଢ ଇଛାଶକ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ପଷ୍ଟ ଲକ୍ଷ୍ୟ ବଳରେ ଆଜି ଏହା ସମ୍ଭବ ହୋଇଛି ବୋଲି ଚର୍ଚ୍ଚା ହେଉଛି । ୨୦୧୪ରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ସହ ଜାମ୍ମୁ କାଶ୍ମୀରର ଭାଗ୍ୟ ମଧ୍ୟ ପରିବର୍ତ୍ତନ ପାଇଁ ଭିତ୍ତି ପଡିଲା । ଦେଶର ଦାୟିତ୍ବ ନେଉ ନେଉ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ, ଏବେ କାଶ୍ମୀରରେ ଆତଙ୍କ ରାଜ ନୁହେଁ ଗଣତନ୍ତ୍ରର ରାଜ ହେବ । ବିଛିନ୍ନତାବାଦୀଙ୍କ ଅତ୍ୟାଚାର ନୁହେଁ ବିକାଶର ଗାଡି ଚାଲିବ । ପଥର ମାଡ ବଦଳରେ କାଶ୍ମୀରର ବିକାଶରେ ପରିବର୍ତ୍ତନ ହେବ। ସ୍ଥାନୀୟ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ନିଯୁକ୍ତି, ସହ ଦେଶର ଅନ୍ୟ ପ୍ରାନ୍ତ ଭଳି ଯୋଡାଯିବ । ଯାହାକୁ ନେଇ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟାପକ ଭାବେ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ନିଜ ପ୍ରଥମ ପାଳିରେ ଘାଟିରୁ ଆତଙ୍କବାଦୀଙ୍କୁ ସମୂଳେ ନିପାତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପ୍ରଥମେ ସେନାକୁ ଶକ୍ତିଶାଳୀ କରାଗଲା । ସେନାକୁ ଅସ୍ତ୍ର ଚଳାଇବାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଗଲା । ଉପତ୍ୟକାରେ ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବାକୁ ନିର୍ଦ୍ଦେଶ ହେଲା । ଧୀରେ ଧୀରେ କାଶ୍ମୀରରେ ବିକାଶର ଭିତ୍ତିପ୍ରସ୍ତର ପଡିଲା । ଲୋକଙ୍କ ମନରୁ ଭୟ ଦ୍ବନ୍ଦ ଦୂର ହେଲା । ନିଜ କାର୍ଯ୍ୟକାଳର ଦ୍ବିତୀୟ ପାଳି ଆରମ୍ଭ ହେଉ ହେଉ ୫ ଅଗଷ୍ଟ ୨୦୧୯ ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କଲେ ପ୍ରଧାନମନ୍ତ୍ରୀ । ଏହା ପରେ ଜାମ୍ମୁ କାଶ୍ମୀର ଆକାଶରେ ଉଦୟ ହେଲା ବିକାଶର ସୂର୍ଯ୍ୟ ।