ଆଇପିଏଲ୍‌ ୨୦୨୩: ଗିଲ୍‌ଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ-ସାମି ହାତେଇଲେ ପର୍ପଲ କ୍ୟାପ

ହାଇଦ୍ରାବାଦ: ଶେଷ ହୋଇଛି ଆଇପିଏଲର ୧୬ତମ ସଂସ୍କରଣ । ଚଳିତ ସିଜିନରେ ସର୍ବାଧିକ ରନ କରି ଅରେଞ୍ଜ୍‌ କ୍ୟାପ୍‌ ହାତେଇଛନ୍ତି ଗୁଜୁରାଟ ଚାଇଟନ୍ସର ଯୁବ ବ୍ୟାଟର ଶୁଭମନ ଗିଲ । ୧୭ଟି ମ୍ୟାଚ ଖେଳି ମୋଟ ୮୯୦ ରନ ସଂଗ୍ରହ କରି ଏହି ସମ୍ମାନ ହାସଲ କରିଛନ୍ତି ଶୁଭମନ । ଅନ୍ୟପଟେ ଚଳିତ ସଂସ୍କରଣରେ ସର୍ବାଧିକ ଓ୍ବିକେଟ ନେଇ ଗୁଜୁରାଟ ଚାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି ପର୍ପଲ କ୍ୟାପ ହାତେଇ କରିଛନ୍ତି।

ଶୁଭମନଙ୍କ ରେକର୍ଡ : ଚଳିତ ସଂସ୍କରଣରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ମୋଟ ୧୭ଟି ମ୍ୟାଚ ଖେଳି ସର୍ବାଧିକ ୮୯୦ ରନ ସଂଗ୍ରହ କରିଛନ୍ତି ଗିଲ୍‌ । ଏଥିରେ ୩ଟି ଶତକ ସାମିଲ ଥିବା ବେଳେ 4ଟି ଅର୍ଦ୍ଧ ଶତକ ମଧ୍ୟ ରହିଛି । ଚଳିତ ସିଜିନରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ୧୫୭.୮ ରହିଥିବା ବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୨୯ ରହିଛି । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ସେ ଏହି ଶତକ ହାସଲ କରିଥିଲେ । ଫାଇନାଲ ମ୍ୟାଚରେ ଗିଲ ୨୦ ବଲରୁ ୩୯ ରନ ସଂଗ୍ରହ କରିଥିଲେ । ଚଳିତ ସିଜନରେ ଗିଲ ୮୫ଟି ଚୌକା ଓ ୩୩ଟି ଛକା ମାରିଛନ୍ତି । ସେହିପରି ଦ୍ବିତୀୟ ସର୍ବାଧିକ ରନ କରିଛନ୍ତି ବାଙ୍ଗାଲୋରର ଅଧିନାୟକ ଡୁପ୍ଲେସିସ୍‌ । ସେ ମୋଟ ୧୪ଟି ମ୍ୟାଚ ଖେଳି ସେ ୭୩୦ ରନ ସଂଗ୍ରହ କରିଥିବା ବେଳେ ୬୦ଟି ଚଉକା ଓ ୩୬ଟି ଛକା ମାରିଥିଲେ । ତୃତୀୟ ସର୍ବାଧିକ ରନ ହାସଲ କରିଛନ୍ତି ବାଙ୍ଗାଲୋରର ବିରାଟ କୋହଲି । ମୋଟ ୧୪ଟି ମ୍ୟାଚରୁ ସେ ୬୩୦ ରନ ସଂଗ୍ରହ କରିଛନ୍ତି । ଆଇପିଏଲ ଇତିହାସରେ ସମସ୍ତ ସିଜନରେ ଗିଲ୍‌ ଦ୍ବିତୀୟ ସର୍ବାଧିକ ସ୍କୋର କରିଛନ୍ତି । ଗୋଟିଏ ସିଜିନ୍‌ରେ ପ୍ରଥମ ସର୍ବାଧିକ ସ୍କୋର୍‌ ରେକର୍ଡ କୋହଲିଙ୍କ ନାମରେ ରହିଛି । ସେ ୨୦୧୬ ସିଜନରେ ବାଙ୍ଗାଲୋର ପକ୍ଷରୁ ସର୍ବାଧିକ ୯୭୩ ରନ୍‌ କରିଥିଲେ।

ସାମିଙ୍କୁ ପର୍ପଲ କ୍ୟାପ: ଚଳିତ ସଂସ୍କରଣରେ ସବୁଠାରୁ ଅଧିକ ଓ୍ବିକେଟ ଅକ୍ତିଆର କରି ଅରେଞ୍ଜ୍‌ କ୍ୟାପ ହାସଲ କରିଛନ୍ତି ଗୁଜୁରାଟ ଟାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି । ମୋଟ ୧୭ଟି ମ୍ୟାଚ୍‌ ଖେଳି ସର୍ବାଧିକ ୨୮ଟି ଓ୍ବିକେଟ ନେଇ ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି ସାମି। ସେହିପରି ଗୁଜୁରାଟ ଟିମର ମୋହିତ ଶର୍ମା ଚଳିତ ସିଜିନରେ ୧୪ଟି ମ୍ୟାଚ ଖେଳି ୨୭ଟି ଓ୍ବିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଗୁଜୁରାଟର ବୋଲର ରାସିଦ ଖାନ ୨୭ଟି ଓ୍ବିକେଟ ନେଇ ତୃତୟୀ ସ୍ଥାନରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲର ପିୟୁସ ଚାଓ୍ବଲା ୨୨ଟି ଓ୍ବିକେଟ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।