ରାଜ୍ୟର ପ୍ରମୁଖ ଫର୍ଣ୍ଣିଚର ସଂସ୍ଥା ଉପରେ ଜିଏସ୍‌ଟି ଚଢ଼ଉ

କଟକ,ଏନ୍‌ଏନ୍‌ଏସ୍: ଜିଏସ୍‌ଟି ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଫର୍ଣ୍ଣିଚର ସୋରୁମ ଓ ଗୋଦାମରେ ଚଢ଼ଉ କରାଯାଇଛି। କଟକ ସମେତ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ବରଗଡ଼, ରାଉରକେଲା, ଭବାନୀପାଟଣା ଓ କଣ୍ଟାବାଞ୍ଝି ଆଦି ସ୍ଥାନରେ ଆଜି ରେଡ଼ କରିଥିଲା ଜିଏସ୍‌ଟି ବିଭାଗ। ବିଭାଗୀୟ ଅଧିକାରୀମାନେ ଚଢ଼ଉ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ଫର୍ଣ୍ଣିଚର ଡ଼ିଲରଙ୍କ ୩୨ଟି ଶୋରୁମ ଓ ଗୋଦାମରେ ଏହି ଚଢ଼ଉ କରାଯାଉଛି। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରର ୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା ବେଳେ ବାସୁଦେବ ଉଡ଼ସ୍ , ପାତ୍ର ଏଜେନ୍ସି, ଚିରାଗ ଇଣ୍ଡଷ୍ଟ୍ରି ଓ ଫର୍ଣ୍ଣିଚର ଗୋଦାମରେ ଚଢ଼ଉ କରିଛି ଜିଏସ୍‌ଟି। ଏହି ଚଢ଼ଉରେ ୩୬ଟିମର ୧୩୨ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଜିଏସ୍‌ଟି ବିଭାଗର ହଠାତ୍ ଏଭଳି ଚଢ଼ଉ ଦେଖି ରାଜ୍ୟର ଫର୍ଣ୍ଣିଚର ଶୋରୁମ ମାଲଇକଙ୍କ ମନରେ ଛନକା ପଶିଛି। କଟକ ଜଗତପୁରସ୍ଥିତ ଭିନଟେଜ ଫର୍ଣ୍ଣିଚରରେ ଜିଏସ୍‌ଟିର ଟିମ ଯାଞ୍ଚ କରିଥିବା ସୂଚନା ମିଳିଛି। ସେହିପରି କଣ୍ଟାବାଞ୍ଝି ୱାର୍ଡ଼-୩ରେ ଥିବା ରାଜୀବ ଅଗ୍ରୱାଲଙ୍କ ଆର.କେ ଟ୍ରେଡ଼ର୍ସର ପ୍ଲାଇଉଡ୍ ଦୋକନ ଓ ଗୋଦାମରେ ଚଢ଼ଉ ଚାଲିଛି। ସେହିପରି ରାଉରାକେଲ ଉଦିତନଗର ସ୍ଥିତ ମୁଖ୍ୟମାର୍ଗରେ ଥିବା ଅଶୋକା ବ୍ରଦର୍ସରେ ଜିଏସ୍‌ଟି ଟିମ ପକ୍ଷରୁ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି। ଏହି ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଫର୍ଣ୍ଣିଚର ବିକ୍ରି ଖର୍ଦ୍ଧି କରୁଥିବା ବେଳେ ଏହାର ସଠିକ ଇନଭଏସ୍ ଦେଉ ନଥିବା ଅଭିଯୋଗ ହେଉଛି। ଶେଷ ଖବର ଅନୁଯାୟୀ ସଠିକ ତଥ୍ୟ ମିଳିପାରିନଥିବା ବେଳେ ସବୁ ଜିନିଷ ଓ ବିଲ୍ ଷ୍ଟକ ଓ ବିକ୍ରି ଭାଉଚର ତନଖି କଲା ପରେ କେତେ ବ୍ୟବସାୟୀମାନେ କେତେ ଜିଏସ୍‌ଟି ଠକେଇ ହୋଇଛି ତାହା ଜଣାପଡ଼ିବ ବୋଲି ଜିଏସ୍‌ଟି ବିଭାଗ ପକ୍ଷରୁ ସୂଚନା ମିଳିଛି।