୨୦ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ୪୬୪୯ ପଞ୍ଚାୟତରେ ମିଶନ ଶକ୍ତି ମା’ ହେବେ ବ୍ୟାଙ୍କ୍ କରେସ୍‌ପଣ୍ଡେଣ୍ଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମିଶନ ଶକ୍ତି ଗୋଷ୍ଠୀର ମା’ଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦିଅ। ଆବଶ୍ୟକ ସ୍ଥଳେ ପାରିଶ୍ରମିକ ବୃଦ୍ଧି କର। ବ୍ୟାଙ୍କ ସୁବିଧା ନ ଥିବା ୪୬୪୯ଟି ପଞ୍ଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ବ୍ୟାଙ୍କ୍ କରେସ୍‌ପଣ୍ଡେଣ୍ଟ ଭାବରେ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ମିଶନ ଶକ୍ତି ଗୋଷ୍ଠୀର ମା’ଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସଂପର୍କରେ ୨୦ଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୯ ମେ’ ୨୯ରେ ପ୍ରଥମ କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତିର ମା’ମାନଙ୍କୁ ୫ ବର୍ଷରେ ୫୦୦୦ କୋଟି ଟଙ୍କାର କାମ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା। ରାଜ୍ୟରେ ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମିଶନ ଶକ୍ତି ମା’ଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ। ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ଦରକାର। ସବୁ ବିଭାଗ ଏହାକୁ ମହିଳା ଆର୍ôଥକ ସଶକ୍ତିକରଣର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ। ବ୍ୟାଙ୍କ୍ ସୁବିଧା ନ ଥିବା ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତିର ମା’ମାନଙ୍କୁ ବ୍ୟାଙ୍କ୍ କରେସ୍‌ପଣ୍ଡେଣ୍ଟ ଭାବରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରୁ ମାତ୍ର ୨୧୪୯ଟି ଗ୍ରାମରେ ବ୍ୟାଙ୍କ୍ ଶାଖା ରହିଛି। ବାକି ୪୬୪୯ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ଏହିସବୁ ପଞ୍ଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ବ୍ୟାଙ୍କ କରେସ୍‌ପଣ୍ଡେଣ୍ଟ ଭାବରେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟ ଜାରି ରହିଛି। ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ ଭଲ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରଶଂସା କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ସବୁ ବିଭାଗ ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ କାମ ଯୋଗାଇ ଦେବା ପାଇଁ ଆଗାମୀ ୩ ବର୍ଷର ‘ଆକ୍ସନ ପ୍ଲାନ’ ପ୍ରସ୍ତୁତ କରିଛନ୍ତି। ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ କହିଥିଲେ, ୧୩ଟି ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରେ ୧,୦୪,୭୧୨ଟି ମିଶନ ଶକ୍ତି ଗୋଷ୍ଠୀର ମା’ଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ବ୍ୟବସାୟ ସରକାର ଯୋଗାଇ ଦେଇଛନ୍ତି। ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ୨୯୬ କୋଟି ଟଙ୍କାର ରୋଜଗାର ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୬୨ଟି ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ନିଯୁକ୍ତି ଦିଆସରିଛି ଏବଂ ଆଉ ୩୫୦୮ଟି ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପାଇଥିବା ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ତାଙ୍କ ବ୍ୟବସାୟରେ ସହାୟତା କରିବା ପାଇଁ ପ୍ରାରମ୍ଭିକ ଭାବରେ ସରକାରଙ୍କ ପକ୍ଷରୁ ମାସକୁ ୨୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯାଉଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଥିଲେ। ସେହିପରି ଅନ୍ୟ ବିଭାଗଗୁଡ଼ିକ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଚିହ୍ନଟ କରାଯାଇ ମା’ମାନଙ୍କୁ କାମ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। କୃଷି ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ବିଭାଗର ବି ଭଲ କାର୍ଯ୍ୟକ୍ରମ କରିଛନ୍ତି। ନଗର ଉନ୍ନୟନ ବିଭାଗ ଦ୍ୱାରା ମୁକ୍ତା ଯୋଜନା ଆନ୍ତର୍ଜାତିକ ସ୍ତରରେ ୫ମ ଆର୍ନ୍ତଜାତିକ ଗୁଆଙ୍ଗଜାହୁ ପୁରସ୍କାର ପାଇଥିବାବେଳେ ମିଶନ ଶକ୍ତି ଗୋଷ୍ଠୀର ସମଲିଙ୍ଗୀଙ୍କୁ କାମ ଯୋଗାଇ ଦେବା କାର୍ଯ୍ୟକ୍ରମ ପାଇଁ ଫିକି ଜାତୀୟ ପୁରସ୍କାର ମିଳିଛି। ଯେଉଁ ବିଭାଗଗୁଡ଼ିକ ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିନାହାନ୍ତି, ସେମାନଙ୍କ ପାଇଁ ଖୁବଶୀଘ୍ର ଆଉ ଏକ ସମୀକ୍ଷା ବୈଠକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।