ଗ୍ରେଟା ଥର୍ନବର୍ଗ ଟୁଲକିଟ୍ ମାମଲା , ୩ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଦିଶା

ନୂଆଦିଲ୍ଲୀ, ଏଜେନ୍ସି: ଗ୍ରେଟା ଥର୍ନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ପରିବେଶକର୍ମୀ ଦିଶା ରବିଙ୍କୁ ତିନି ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କ ପାଞ୍ଚଦିନିଆ ରିମାଣ୍ଡ ଶେଷ ହେବାପରେ ଦିଲ୍ଲୀ ପୁଲିସ ତାଙ୍କୁ ଶୁକ୍ରବାର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରିଥିଲା। ବର୍ତ୍ତମାନ ଦିଶାଙ୍କୁ ଜେରା କରିବାର ଆବଶ୍ୟକତା ନାହିଁ। ତେବେ ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଶାନ୍ତନୁ ମୁକୁଲ ଓ ନିକିତା ଜ୍ୟାକବଙ୍କୁ ଜେରା କରାଯିବା ସମୟରେ ଦିଶାଙ୍କୁ ପୁଣି ରିମାଣ୍ଡରେ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ବିଚାରପତି ଆକାଶ ଜୈନ ଏହାକୁ ଗ୍ରହଣ କରି ଦିଶାଙ୍କୁ ତିନିଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଚଳିତମାସ ୨୨ରେ ପୁଲିସ ପକ୍ଷରୁ ଶାନ୍ତନୁ ଓ ନିକିତାଙ୍କୁ ଜେରା କରାଯିବ। ରିମାଣ୍ଡ ସମୟରେ ଦିଶା ପୁଲିସକୁୁ କୌଣସି ସଠିକ ତଥ୍ୟ ଦେଇନଥିବାବେଳେ ସବୁ ଦୋଷ ଶାନ୍ତନୁ ଓ ନିକିତାଙ୍କ ଉପରେ ଲଦି ଦେଇଥିଲେ। ଦିଶାଙ୍କୁ ହାଜରେ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ।

ତେଣୁ ତାଙ୍କୁ ଯଥାଶୀଘ୍ର ଜାମିନରେ ମୁକ୍ତ କରାଯାଉ ବୋଲି ଓକିଲଙ୍କ ଯୁକ୍ତିକୁ ବିଚାରପତି ଅଗ୍ରାହ୍ୟ କରିଦେଇଛନ୍ତି। ଦିଶାଙ୍କ ଜାମିନ ଆବେଦନର ଶୁଣାଣି ଶନିବାର ହେବ ବୋଲି ଜଣାପଡିଛି। ଏହି ଘଟଣାକୁ କେତେକ ଗଣମାଧ୍ୟମ ଅତିରଞ୍ଜିତ କରି ପ୍ରସାର କରୁଥିବାରୁ ଦିଲ୍ଲୀ ହାଇକୋର୍ଟ କ୍ଷୋଭପ୍ରକାଶ କରିଛନ୍ତି। ଅପରପକ୍ଷରେ ତଦନ୍ତ ସଂକ୍ରାନ୍ତ କୌଣସି ସୂଚନା ଗଣମାଧ୍ୟମକୁ ନ ଦେବାକୁ ହାଇକୋର୍ଟ ବିଚାରପତି ପ୍ରତିଭା ସିଂହ ଦିଲ୍ଲୀ ପୁଲିସକୁ ତାଗିଦ କରିଛନ୍ତି। ଏପରିକି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପୁଲିସକୁ ସଞ୍ଜମତା ଅବଲମ୍ବନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।