ପାଙ୍ଗଗଙ୍ଗ୍ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ସୁଦ୍ଧା ପୂର୍ବ ଲଦାଖସ୍ଥିତ ପାଙ୍ଗଗଙ୍ଗ୍ ହ୍ରଦର ଉଭୟ ପାଶ୍ୱର୍ରୁ ଭାରତ ଓ ଚୀନ୍ ନିଜର ସେନା, ଯୁଦ୍ଧାସ୍ତ୍ର ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର କରିଥିବା ଜଣାପଡିଛି। ଫଳରେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ଉତ୍ତେଜନାର ଆପାତତଃ ପରିସମାପ୍ତି ଘଟିଥିବା କୁହାଯାଉଛି। ଭାରତ ତୁଳନାରେ ଚୀନ୍ ତାହାର ସେନା ପ୍ରତ୍ୟାହାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଥିବା ଜଣାପଡିଛି। ପାଙ୍ଗଗଙ୍ଗ୍ ହ୍ରଦ ନିକଟରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ସେନା ଶିବିର, ବଙ୍କର ଓ ହେଲିପ୍ୟାଡ୍ଗୁଡିକୁ ମଧ୍ୟ ଚୀନ୍ ହଟାଇ ଦେଇଛି। ଉପଗ୍ରହ ଜରିଆରେ ମିଳିଥିବା ଚିତ୍ରକୁ ଆଧାର କରି ଏଭଳି ତଥ୍ୟ ହାସଲ କରାଯାଇଛି। ଗତବର୍ଷ ମେ’ରେ ଚୀନ୍ ପକ୍ଷରୁ ଲଦାଖସ୍ଥିତ ଏଲଏସିରେ ଉତ୍ତେଜନା ଆରମ୍ଭ କରାଯାଇଥିଲା। ଚୀନ୍ ତାହାର ବିସ୍ତାରବାଦୀ ନୀତିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବାରୁ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲେ। ଜୁନ୍ ୧୪ରେ ଏହି ଉତ୍ତେଜନା ଚରମସୀମାରେ ପହଞ୍ଚିଥିଲା। ଗଲୱାନ୍ ଉପତ୍ୟକାରେ ଉଭୟପକ୍ଷ ଯବାନ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ସେମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ପୂର୍ବ ଚୁକ୍ତି ଅନୁଯାୟୀ କୌଣସି ପକ୍ଷ ଗୋଳାବାରୁଦ ବ୍ୟବହାର କରିନଥିଲେ ସୁଦ୍ଧା ଚୀନ୍ ସୈନ୍ୟ ଭାରତୀୟ ଯବାନଙ୍କ ଉପରକୁ ଢେଲାପଥର ମାଡ କରିବା ସହ ବର୍ଚ୍ଛାରେ ମଧ୍ୟ ଆକ୍ରମଣ କରିଥିଲେ।

ଏହି ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ୍ ମଧ୍ୟ ୪୦/୪୫ ସୈନ୍ୟ ହରାଇଥିଲା। ତେବେ ଚୀନ୍ ଏହାକୁ ସ୍ୱୀକାର କରୁନଥିଲା। ସୀମାରେ ଉତ୍ତେଜନା ପ୍ରଶମିତ କରିବାକୁ ଉଭୟ ଦେଶ ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ଉଦ୍ୟମ କରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନଥିଲା। ଶେଷରେ ଚଳିତମାସ ପ୍ରଥମ ସପ୍ତାହରେ ଚୀନ୍ ସେଠାରୁ ସୈନ୍ୟ ପ୍ରତ୍ୟାହାର ନେଇ ନିର୍ଭର ପ୍ରତିଶ୍ରୁତି ଦେବାସହିତ ଏହାକୁ ନିଷ୍ଠାର ସହ ପାଳନ କରିଛି।