ଜଳିଗଲା ଗ୍ରୀନ୍ ମାର୍କେଟ୍, ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଗ୍ରୀନ୍ ମାର୍କେଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଦୁଇଟି ପରିବା ଗୋଦାମ ଜଳିଯାଇଛି। ଏହା ସହ ତିନୋଟି ୪ ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ, ଗୋଟିଏ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଥିବା ଜଣାପଡିଛି।

ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜସରଞ୍ଜାମ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି। ଯାଜପୁର ରୋଡ୍ ଅଗ୍ନୀସମ ସେବା କେନ୍ଦ୍ରର ୩ଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଦମକଳ ବାହିନୀ ଓ ପୁଲିସ ପ୍ରଶାସନ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।