ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ

ଶ୍ରୀନଗର,ଏଜେନ୍ସି: ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ସୀମାରେ ଆମ ସୁରକ୍ଷାକର୍ମୀଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହୋଇଛି। ସୀମାରେ ଲାଗି ରହିଛି ଆତଙ୍କୀଙ୍କ ଆତଙ୍କରାଜ। ଶ୍ରୀନଗରର ଜିଲ୍ଲା ଶାନ୍ତାନଗର ଅଞ୍ଚଳରେ ସିଆରପିଏଫ ସୁରକ୍ଷାବାହିନୀଙ୍କ ଉପରକୁ ଗ୍ରେନେଡ ମାଡ ହୋଇଛି। ଏଥିରେ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

ଏହା ପୂର୍ବରୁ ବାରମୁଲ୍ଲା ଜିଲ୍ଲା ସୋପରର ଏସବିଆଇ ବ୍ୟାଙ୍କ ନିକଟରେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳିମାଡ କରିଥିଲେ ଆତଙ୍କୀ। ଲଗାତାର କିଛି ଦିନ ହେବ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଶୁକ୍ରବାର ଜମ୍ମୁ କଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିଲା।

ଏହା ସହିତ ଏହି ଗୁଳି ବିନିମୟରେ ୨ ଜଣ ସାଧାରଣ ନାଗରିକ ଓ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। କିଛି ଦିନ ପୂର୍ବରୁ ଲସ୍କର-ଏ-ତୋଏବାର ଦୁଇ ଆତଙ୍କୀ ମୀର ବଜାରରେ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଚଳିତ ବର୍ଷ ପ୍ରାୟ ୮୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ଯାହା ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି ବିଜୟ କୁମାର।