ପାଟଣାଗଡ ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ରମାଇ ହାଇସ୍କୁଲ ଖେଳ ପଡିଆରେ ୭୫ ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କୋଭିଡ କଟକଣା ଯୋଗୁଁ ଏଥର ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗଦେଇନଥିଲେ। ମହାମାରୀ କୋଭିଡ ସମୟରେ ବିଶେଷ କରି ଡାକ୍ତର, ନର୍ସ, ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଭଳି ତାଙ୍କ କାର୍ଯ୍ୟ ସମ୍ପାଦନ କରିଥିଲେ ସେମାନଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ। ସେହିପରି ସ୍ଥାନୀୟ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ମଧ୍ୟ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି।

ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସଦାଶିବ ସରାଫ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ସଭାପତି ଲାୟନ୍ସ ମନୋଜ ନନ୍ଦ, ଲାୟନ୍ସ ପ୍ରଦୀପ ବଂଶଲ, ଲାୟନ୍ସ ବୀରେନ୍ଦ୍ର ପାତ୍ର, ଲାୟନ୍ସ ରେଖା ବଂଶଲଙ୍କ ସହ ବିଶେଷ ଅତିଥି ଭାବେ ଦିଲ୍ଲୀର କେଭି ଏନଏଫସି ବିଜ୍ଞାନ ବିହାର ସ୍କୁଲର ଶିକ୍ଷୟିତ୍ରୀ ମୋନିକା ଦାଦୁ ଯୋଗଦେଇଥିଲେ। ଏହି ଅବସରରେ ଲାୟନ୍ସ ଭୋକେସନାଲ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।