ପୁଣି ଶ୍ରୀନଗରରେ ଗ୍ରେନେଡ ମାଡ, ୧ମୃତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ଅପରାହ୍ଣରେ ଗ୍ରେନେଡ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥିବା ବେଳେ ଏହି ଆକ୍ରମଣରେ ଜଣେ ଅଣକଶ୍ମୀରୀ ଯୁବକ ନିହତ ହୋଇଥିବା ଜଣାଯାଇଛି। ଆକ୍ରମଣଟି ମୌଲାନା ଆଜାଦ୍‌ ରୋଡ୍‌ରେ ହୋଇଥିଲା। ତେବେ ୧୫ଦିନ ମଧ୍ୟରେ ଦ୍ୱିତୀୟ ଥର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ସମ୍ପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ପୁଲିସର ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କୁ ଗ୍ରେନେଡ୍‌ ଫିଙ୍ଗିଥିଲେ ମଧ୍ୟ ତାହା ରାସ୍ତା କଡ଼ରେ ଯାଇ ପଡ଼ିଥିଲା । ଯାହାଦ୍ୱାରା ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଶିକାର ହୋଇଥିଲେ । ଏହା ପୂର୍ବରୁ ଅକ୍ଟୋବର ୨୯ରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ, ଅକ୍ଟୋବର ୨୬ରେ ଶ୍ରନଗରର କାକାସରାଏରେ, ଅକ୍ଟୋବର ୨୪ରେ କୁଲଗାମରେ ଏବଂ ଅକ୍ଟେବାର ୭ରେ ହରି ସିଂହ ହାଇଟ୍‌ ଷ୍ଟ୍ରିଟ୍‌ରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ।