ମାହାଙ୍ଗା ବ୍ଲକରେ ଦିଗହରା ସରକାରଙ୍କ ପକ୍କାଘର ଯୋଜନା, ଭଙ୍ଗା କୁଡିଆରେ କଟୁଛି ବୃଦ୍ଧଙ୍କ ଦିନ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକରେ ସରକାରୀ ଯୋଜନାରେ ଆସୁଥିବା ପକ୍କାଘରକୁ ବହୁ ଅଯୋଗ୍ୟ ହିତାଧିକାରୀ ହାତେଇ ଥିବାବେଳେ ପ୍ରକୃତ ହିତାଧିକାରୀ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗୁନାହିଁ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରେଶ୍ୱର ପଞ୍ଚାୟତର ଝାଡେଶ୍ୱରପୁର ପ୍ରଧାନ ସାହିରେ। ପ୍ରଧାନ ସାହିରେ ମଥୁରୀ ପ୍ରଧାନ ଯେ କି ଚାଳ ଛପର ଘରେ ଦୀର୍ଘ ଦିନ ଧରି ରହିଆସୁଛନ୍ତି। ତାଙ୍କର ବିପିଏଲ୍ ମଧ୍ୟ ଅଛି।

୧୯୯୯ ମସିହା ମହାବାତ୍ୟା ହେଉ କିମ୍ବା ଫନି ବାତ୍ୟା ଅଥବା ଅଦିନିଆ ବର୍ଷା, ଚାଳ ଛପର ଘରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ସେ ଓ ତାଙ୍କର ସ୍ତ୍ରୀ ରହୁଛନ୍ତି। ନା ମିଳୁଛି ଘରଭଙ୍ଗା ସହାୟତା ନା ମିଳିଛି ଜରୀପାଲ। ମାହାଙ୍ଗାର ବିକାଶର ଗୋଲାପୀ ଚିତ୍ର ଦେଖାଉଥିବା ଶାସକ ଦଳର ନେତାମାନେ ପ୍ରକୃତ ଗରିବଙ୍କ ଦୁଃଖକୁ ଦେଖିପାରୁନଥିବା ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତୁରନ୍ତ ସରକାର ତାଙ୍କୁ ଖଣ୍ଡେ ସ୍ଥାୟୀ ପକ୍କାଘର ପ୍ରଦାନ କରିବାକୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।