ସୁବର୍ଣ୍ଣରେଖାରେ ଆସୁଛି ବଡ ବନ୍ୟା, ସ୍ଥାନାନ୍ତର ହେଲେଣି ୧୬ ହଜାର ଲୋକେ

ବାଲେଶ୍ବର,ଏନ୍ଏନ୍ଏସ୍: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଉତ୍ତର ବାଲେଶ୍ଵରର ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ଜଳେଶ୍ବର ବ୍ଳକରେ ଅଗ୍ନିଶମ ବିଭାଗର ୨ଟି ଟିମ, ଏନଡିଆରଏଫର ଗୋଟିଏ ଟିମ ଓ ଓଡ୍ରାଫର ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି।

ସେହିପରି ବାଲିଆପାଳ ବ୍ଳକରେ ଅଗ୍ନିଶମ ବିଭାଗର ୪ଟି ଟିମ ଓ ଏନଡିଆରଏଫ ୨ଟି ଟିମ ରହିଛନ୍ତି । ଭୋଗରାଇରେ ଅଗ୍ନିଶମ ବିଭାଗର ୨ଟି ଟିମ ଓ ଏନଡିଆରଏଫର ଗୋଟିଏ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବାଲିଆପାଳ, ଭୋଗରାଇ, ଜଳେଶ୍ବର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକମାନେ ଜଳବନ୍ଦୀରେ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି।