ଆଜିଠୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ପାଖେଇ ଆସୁଛି ଗୁଜୁରାଟ ନିର୍ବାଚନ । ପଞ୍ଜାବ ହାତେଇବା ପରେ ଗୁଜୁରାଟ ଉପରେ ରହିଛି ଆପର ନଜର । ଏଥିପାଇଁ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘନ ଘନ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିଠୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହି ଦୁଇ ଦିନିଆ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ସାମିଲ ହେବେ ବୋଲି ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି କେଜ୍ରିଓ୍ବାଲ ।

ସେ ଟ୍ବିଟ କରି ଲେଖିଛନ୍ତି କି, “ସୋମବାର ଦିନ ମନିଷ ଜୀ ଏବଂ ମୁଁ ଉଭୟେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ରହିବୁ । ଅହମ୍ମଦାବାଦରେ ପହଞ୍ଚିବା ପରେ ସେ ହିମାତନଗର ଟାଉନ ହଲରେ ସାଧାରଣ ସଭାକୁ ସମ୍ବୋଧନ କରିବୁ । ସେଠାରେ ଶିକ୍ଷା ଏବଂ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ନେଇ ଲୋକଙ୍କ ସହ ଆଲୋଚନା କରିବୁ । ଯଦି ଏଠାରେ ନିର୍ବାଚନରେ ଆପ ସରକାର ଗଢେ । ତେବେ ଦିଲ୍ଲୀ ମଡେଲ ଗୁଜୁରାଟରେ ଲାଗୁ କରାଯିବ । ଗୁଜୁରାଟରେ ମଧ୍ୟ ଭଲ ବିଦ୍ୟାଳୟ, ଡାକ୍ତରଖାନା ଏବଂ ମୋହାଲା କ୍ଲିନିକ୍ ରହିବ । ସମସ୍ତଙ୍କୁ ମାଗଣା ଉତ୍ତମ ଶିକ୍ଷା ସହ ସ୍ବାସ୍ଥ୍ୟସେବା ମିଳିପାରିବ ’’।

ତେବେ ଏହା ପୂର୍ବରୁ ମଧ୍ୟ ଉତ୍ତର ଗୁଜରାଟ ଗସ୍ତ କରିଥିଲେ କେଜ୍ରିୱାଲ । ସେହି ସମୟରେ ମାଗଣା ବିଦ୍ୟୁତ୍‌ ଯୋଗାଣ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଅନେକ ଗୁଡ଼ିଏ ପ୍ରତିଶୃତି ଦେଇଥିଲେ । ଚଳିତ ମାସ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ରଣନୀତି ଆରମ୍ଭ କରି ସାରିଛନ୍ତି । ଗୁଜୁରାଟ ବିଧାନସଭା ନିର୍ବାଚନରେ ଚଳିତ ଥର ଅଶଂଗ୍ରହଣ କରିବାକୁ ଯାଉଛି କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି । ଆସନ୍ତାକାଲି ଭାବନଗରରେ ମଧ୍ୟ ଏକ ସଭାକୁ ସେ ସମ୍ବୋଧିତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।