ସଂସଦ ମୌସୁମୀ ଅଧିବେଶନ ପାଇଁ ସରକାର ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆସନ୍ତା ସଂସଦ ମୌସୁମୀ ଅଧିବେଶନ ପାଇଁ ୧୭ ତାରିଖ (ରବିବାର) ଦିନ ବସିବ ସର୍ବଦଳୀୟ ବୈଠକ। ସଂସଦର ସୁପରିଚାଳନା ଓ ବିରୋଧୀଙ୍କ ସହଯୋଗ ପାଇଁ ସରକାର ଡାକିଛନ୍ତି ବୈଠକ। ପୂର୍ବାହ୍ନ ୧୧ଟାରେ ବସିବ ବୈଠକ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତ ଦଳର ପ୍ରତିନିଧି ବୈଠକରେ ସାମିଲ ହେବେ।

ବୈଠକରେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ସାମିଲ ହେବେ। ସଂସଦ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ବସୁଥିବା ଏହି ବୈଠକର ଗୁରୁତ୍ବ ବଢିଯାଇଛି। କାରଣ ଆସନ୍ତା ଅଧିବେଶନ ବେଳେ ଉଭୟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ ହେବ। ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସରକାର ଅଧିବେଶନରେ ଆଣିବାକୁ ଥିବା ଏଜେଣ୍ଡା ଓ ବିଲ ପ୍ରସଙ୍ଗରେ ଆଲୋଚନା କରିବେ। ଏହାସହ ଉଭୟ ଗୃହରେ ବିରୋଧୀଙ୍କ ସହଯୋଗ ଲୋଡିବେ।

ସଂସଦ ମୌସୁମୀ ଅଧିବେଶନ ୧୮ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ ୧୮ରେ ରାଷ୍ଚ୍ରପତି ନିର୍ବାଚନ ହେବ। ଏହାସହ ୨୧ ଜୁଲାଇରେ ଭୋଟ ଗଣତି ହେବ। ନୂଆ ରାଷ୍ଚ୍ରପତି ୨୫ ଜୁଲାଇରେ ଦାୟିତ୍ବ ଗ୍ରହଣ କରିବେ। ଏହାବାଦ ଉପରାଷ୍ଟ୍ରପତି ପାଇଁ ମଧ୍ୟ ନିର୍ବାଚନ ହେବ। ଉପରାଷ୍ଟ୍ରପତି ପଦ ପାଇଁ ୧୯ ଜୁଲାଇରେ ନାମାଙ୍କନ ଦାଖଲର ଅନ୍ତିମ ଦିନ ଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଉଭୟ ସରକାରୀ ଓ ବିରୋଧୀ ଦଳ କୌଣସି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଯଦି ସହମତି ଭିତ୍ତିରେ ପ୍ରାର୍ଥୀ ଦିଅନ୍ତି ତେବେ ନିର୍ବାଚନ ହେବ ନାହିଁ, ନଚେତ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ।