ରୁଚିକା ଆତ୍ମହତ୍ୟା ଘଟଣାର ନୂଆମୋଡ, ରାଗିଂ ହେବା କେହି ଜାଣିନାହାନ୍ତି: ଡିସିପିଙ୍କ ଖୁଲାସା

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାରେ ହାତ ଟେକିଦେଲା କି ପୋଲିସ ? ରାଜ୍ୟର ଏହି ବହୁ ଚର୍ଚ୍ଚିତ ଆତ୍ମହତ୍ୟା ଘଟଣାର ୧୧ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ତିନି ସନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହିନପାରି ରୁଚିକା ଆତ୍ମହତ୍ୟା କରିବାକୁ ବଧ୍ୟ ହେଲେ ବୋଲି ସୁଇସାଇଡ ନୋଟରେ ଲେଖିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଏହି ମାମଲାରେ ହଷ୍ଟେଲର କେହି ବି ଛାତ୍ରୀ ରୁଚିକାକୁ ରାଗିଂ ହେବା ଜାଣିନାହାନ୍ତି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଏହି ଘଟଣାକୁ ବଡଗଡ ଥାନା ଆଇଆଇସି ଓ ଜଣେ ଆଡିସନାଲ ଡିସିପି ନେତୃତ୍ବରେ ୩ ଜଣିଆ ଟିମ ତଦନ୍ତ କରୁଥିଲେ । ତଦନ୍ତ ବେଳେ ହଷ୍ଟେଲରେ ୧୯୮ଜଣ ଛାତ୍ରୀଙ୍କୁ ପଚରା ଉଚରା କରାଯାଇଥିଲା । ତେବେ ହଷ୍ଟେଲରେ ରାଗିଂ ସମ୍ପର୍କରେ କୌଣସି ଛାତ୍ରୀ ଜାଣିନଥିବା କହିଛନ୍ତି । ଏସମ୍ପର୍କରେ ପରିବାର ଲୋକ, ଗାଁରେ ଥିବା ରୁଚିକାର ବନ୍ଧୁ କିମ୍ବା ହଷ୍ଟେଲରେ ଥିଵା କୌଣସି ଛାତ୍ରୀ ରାଗିଂ ନେଇ କୌଣସି ସୁରାକ ଦେଇପାରିନାହନ୍ତି । ଏପରିକି କଲେଜ ଓ ହଷ୍ଟେଲର ଷ୍ଟାଫଙ୍କ ଠାରୁ ଏନେଇ କିଛି ତଥ୍ୟ ମିଳିଲା ନାହିଁ ବୋଲି ଡିସିପି କହିଛନ୍ତି । ରୁଚିକା ଆତ୍ମହତ୍ୟା କରିଥିବା ରୁମରେ ସାଇଣ୍ଟିଫିକ ଟିମ ସଠିକ ପରୀକ୍ଷା କରି ଛାନଭିନ କରିଛନ୍ତି ହେଲେ କୌଣସି ପ୍ରମାଣ ମିଳିନାହିଁ । ତେବେ ଅଧିକ ତଦନ୍ତ ଜାରୀ ରହଥିବା ନେଇ ସୂଚନା ଦେଇଛନ୍ତି ଡିସିପି ।

ଅନ୍ୟ ସବୁ ଦୃଷ୍ଟିରୁ ସାଇବର ଏକ୍ସପର୍ଟ ଟିମର ସହାୟତା ନିଆଯାଉଛି । ତାଙ୍କ ରୁମରୁ ମିଳିଥିବା ମୋବାଇଲ ଫୋନର ଡାଟା ରିଟ୍ରାଇଭ ପାଇଁ ଚେଷ୍ଟା କରିଛୁ ହେଲେ ଏହାକୁ ଖୋଲିବାରେ ସଫଳ ହୋଇପାରିନୁ । ଏଣୁ ଅଧିକ ତଦନ୍ତ ପାଇଁ ଜବତ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ଡିସିପି କହିଛନ୍ତି । ସେପଟେ ଯଦି କୌଣସି ଛାତ୍ରଛାତ୍ରୀ ଏ ସମ୍ପର୍କରେ ଜାଣିଥାନ୍ତି ତେବେ ୭୦୭୭୭୯୮୧୧୧ ମୋବାଇଲରେ କଲ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ନିବେଦନ କରାଯାଇଛି ।