କମିବ ଖାଇବାତେଲ ଦର, ସୀମା ଶୁଳ୍କ ହ୍ରାସ କଲେ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଖାଇବାତେଲ ଦର ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣରେ ଅସନ୍ତୋଷ ବ୍ୟାପୁଛି। ସରକାର ଦରବୃଦ୍ଧି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଆଜି ସରକାର ରିଫାଇନ୍‌ଡ ପାମ୍ ଅଏଲ୍ ଉପରେ ପୂର୍ବରୁ ଲାଗୁ ୧୭.୫% ବେସିକ୍ କଷ୍ଟମ୍ ଡ୍ୟୁଟିକୁ ୧୨%କୁ ହ୍ରାସ କରିଛନ୍ତି। ଫଳରେ ଘରୋଇ ଯୋଗାଣ ବୃଦ୍ଧି ପାଇବା ସହିତ ଖୁଚୁରା ବଜାରରେ ଖାଇବାତେଲ ଦର ହ୍ରାସ ପାଇବ ବୋଲି ସରକାର ଆଶାପ୍ରକଟ କରିଛନ୍ତି। ସଲ୍‌ଭେଣ୍ଟ୍ ଏକ୍ସଟ୍ରାକ୍ଟର ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‌ଇଏ) ଅନୁସାରେ ସୀମା ଶୁଳ୍କର ହ୍ରାସ ଯୋଗୁଁ ଲାଗୁ ସେସ୍ ମଧ୍ୟ ହ୍ରାସ ପାଇବ। ଫଳରେ ରିଫାଇନ୍‌ଡ ପାମ୍‌ଅଏଲ୍ ଓ ପାମୋଲିନ୍ ତେଲ ଉପରେ ପୂର୍ବରୁ ଲାଗୁ ୧୯.୨୫% ହାରର ଟିକସ ୧୩.୭୫%କୁ ହ୍ରାସ ପାଇବ। ହ୍ରାସ ଦର ଆଗାମୀ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଆଜିଠାରୁ ଦର ପ୍ରଭାବୀ ହେବ ବୋଲି ସରକାର ବିବୃତି ଜାରି କରି ସୂଚନା ଦେଇଛନ୍ତି। ଅପରପକ୍ଷରେ ବ୍ୟବସାୟୀମାନେ ବିନା ଲାଇସେନ୍‌ସରେ ଆଗାମୀ ଡିସେମ୍ବର ପର୍ଯ୍ୟନ୍ତ ଖାଇବାତେଲ ଆମଦାନୀ କରିପାରିବେ। ଉପଭୋକ୍ତା ମନ୍ତ୍ରଣାଳୟ ଦ୍ୱାରା ଉପଲବ୍‌ଧ ତଥ୍ୟ ଅନୁସାରେ ସମ୍ପ୍ରତି ଦେଶରେ ସୋରିଷତେଲ ଦର ଲିଟର ପ୍ରତି ହାରାହାରି ୧୮୭.୫୦ ଟଙ୍କା, ବାଦାମତେଲ ଲିଟର ପ୍ରତି ହାରାହାରି ୧୮୧.୪୮ ଟଙ୍କା, ସୋୟାବିନ୍ ତେଲ ଲିଟର ପ୍ରତି ହାରାହାରି ୧୫୦.୭୮ ଟଙ୍କା, ସୂର୍ଯ୍ୟମୁଖୀତେଲ ଲିଟର ପ୍ରତି ହାରାହାରି ୧୬୩.୧୮ ଟଙ୍କା ଓ ପାମ୍‌ଅଏଲ୍ ଲିଟର ପ୍ରତି ହାରାହାରି ୧୨୯.୯୪ ଟଙ୍କା ରହିଛି। ସୂଚନାଯୋଗ୍ୟ ଯେ ଭାରତ ଦେଶରେ ଆବଶ୍ୟକତାର ୬୫% ଖାଇବାତେଲ ବିଦେଶରୁ ଆମଦାନୀ କରିଥାଏ। ଖାଇବାତେଲ ଦର କମ୍ କରିବା ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ ବୋଲି ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।