ସରକାରୀ ଟେଲିକମ କମ୍ପାନୀରେ ଚାଇନା ଉପକରଣ ବ୍ୟବହାରକୁ ବ୍ୟାନ

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଭାରତୀୟ ସୈନ୍ୟଙ୍କ ସହ ସଂଘର୍ଷ ଚୀନକୁ ଭାରି ପଡିବ। ବୁଧବାର ଟେଲିକମ୍ ମନ୍ତ୍ରଣାଳୟ ବିଏସ୍‌ଏନଏଲ ଓ ଏମଟିଏନଏଲ କମ୍ପାନୀକୁ ନିର୍ମିତ ମୋବାଇଲ ଫୋନଗୁଡିକରେ ୪ଜି ଅପଗ୍ରେଡେସନ ପାଇଁ କୌଣସି ଚାଇନା ଉପକରଣର ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ଵାରା ଭାରତୀୟମାନେ ଚୀନ ନିର୍ମିତ ମୋବାଇଲ ଓ ଟେଲିକମ୍ ଯନ୍ତ୍ରାଂଶ ପରିବର୍ତ୍ତେ ଭାରତ ନିର୍ମିତ ଯନ୍ତ୍ରାଂଶ କିଣିବାକୁ ଆଗ୍ରହୀ ହେବେ। ଫଳରେ ଭାରତରେ ଚୀନ ନିର୍ମିତ ଯନ୍ତ୍ରାଂଶ ବିକ୍ରି ହ୍ରାସ ପାଇବ, ଯାହା ପରୋକ୍ଷରେ ଚୀନର ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଇଛି।

ଏଥିସହ ସରକାରୀ ଟେଲିକମ୍ କମ୍ପାନୀଗୁଡିକର ପୂର୍ବ ଟେଣ୍ଡର ପ୍ରତ୍ୟାବର୍ତ୍ତନ କରି ନୂତନ ଟେଣ୍ଡର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଚୀନ୍ କମ୍ପାନୀଗୁଡିକ ଭାଗ ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଅନ୍ୟପଟେ ଦେଶରେ ବେସରକାରୀ ମୋବାଇଲ୍ ସେବା ପ୍ରଦାନକାରୀଙ୍କୁ ଚାଇନିଜ୍ ଉପକରଣଗୁଡ଼ିକର ବ୍ୟବହାରକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।