ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପ୍ରୟାସ, ସଂସ୍କୃତି ବିଭାଗର ସୂଚନା

କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ ବିଶାଳ ଆକାରରେ ହେବ ଐତିହାସିକ ବାଲିଯାତ୍ରା । ୧୦୦ ଏକର ଜାଗାରେ ହେବ କଟକର ଗର୍ବ ଗୌରବ ଓ ଅସ୍ମିତା ସହ ଜଡିତ ବାଲିଯାତ୍ରା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ କରିଛି ସଂସ୍କୃତି ବିଭାଗ । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି ବିଭାଗ ।

ବାଲିଯାତ୍ରା ଓଡ଼ିଶାର ସଂସ୍କୃତି ପରମ୍ପରା ତଥା ଲୋକକଳାକୁ ଲୋକାଭିମୁଖୀ କରିବା ପାଇଁ ଚଳିତ ବର୍ଷ ୧୭ଟି ଲୋକ ସଂସ୍କୃତିକୁ ବାଲିଯାତ୍ରାର ସାମିଲ କରାଯିବ । ଏହା ସହିତ ନାମିଦାମୀ କଳାକାରଙ୍କୁ ନେଇ ଅନୁଷ୍ଠିତ ହେବ ସାଂସ୍କୃତିକ କାଯ୍ୟକ୍ରମ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେବ ରାଜ୍ୟ ସଂସ୍କୃତି ବିଭାଗ । ଏହାସହ ଉପର ଓ ତଳ ବାଲିଯାତ୍ରା ପଡିଆରେ ଦୁଇଟି ଷ୍ଟେଜ ରହିବ । ଯେଉଁଠାରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପାଖରୁ ଦେଖି ପାରିବେ ଦର୍ଶକ ।

କୋରୋନା କଟକଣା ପାଇଁ ଗତ ୨ ବର୍ଷ ହେଲା ବାଲିଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଧୁମଧାମରେ ବାଲିଯାତ୍ରାକୁ ପାଳନ କରିବାକୁ ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ପ୍ରଶାସନ । ହାଡ଼ିଆପଠାରେ ବାଲିପୋତା ହୋଇ ସୃଷ୍ଟି ହୋଇଥିବା ନୂତନା ଜାଗାକୁ ନେଇ ଏଥର ବାଲିଯାତ୍ରାର ଆକାର ବିଶାଳ କରାଯିବ । ପାଖାପାଖି ୧୦୦ ଏକର ଜାଗା ଉପରେ ଆୟୋଜନ ହେବ ଯାତ୍ରା । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳା କାରମାନଙ୍କୁ ନେଇ ରଙ୍ଗାରଙ୍ଗ କଯ୍ୟକ୍ରମ କରିବା ଲକ୍ଷ୍ୟରେ ରହିଛି ରାଜ୍ୟ ସଂସ୍କୃତି ବିଭାଗ । ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।