ପୁତିନଙ୍କ ଡାହାଣ ହାତ କୁହାଯାଉଥିବା ଡୁଗିନଙ୍କ ଝିଅଙ୍କୁ ହତ୍ୟା, କାର୍‌କୁ ବିସ୍ଫୋରଣ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,ଏଜେନ୍ସି: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଡାହାଣ ହାତ କୁହାଯାଉଥିବା ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିୟାଙ୍କ ହତ୍ୟା ମାମଲା ଗଣମାଧ୍ୟମକୁ ଆସିଛି । ରିପୋର୍ଟ ଅନୁସାରେ ଡାରିୟା ଡୁଗିନ ନିଜର ଲ୍ୟାଣ୍ଡ କ୍ରୁଜର ପ୍ରାଡୋ କାରରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କର କାରକୁ ମସ୍କୋ ନିକଟରେ ବିସ୍ଫୋରଣ କରି ଦିଆଯାଇଛି ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ଦେଖାଯାଇଛି । ଏହି ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଥିଲା । ଆଲେକଜାଣ୍ଡର ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ରୁଷୀୟ ମିଡିଆ ରିପୋର୍ଟ ଅନୁସାରେ ମସ୍କୋର ଓଡିନଟସୋଭସ୍କି ଜିଲ୍ଲାରେ ଲ୍ୟାଣ୍ଡ କ୍ରୁଜର କାରରେ ବିସ୍ଫୋରଣ ହୋଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସର ତଦନ୍ତରେ ଜଣାପଡ଼ିଲା ଯେ, କାରରେ ଆଲେକଜାଣ୍ଡର ଡୁଗିନଙ୍କ ଝିଅ ଡାରିୟା ଡୁଗିନ ଯାତ୍ରୀ ଥିଲେ ।

ରୁଷିଆ ମିଡିଆର ରିପୋର୍ଟ ଅନୁସାରେ ବିସ୍ଫୋରଣ ପରେ କାର ଜଳିଯାଇଥିଲା । ଯାତାୟତ ବନ୍ଦ ହୋଇଯାଇଥିଲା । ଲୋକେ ଭୟଭୀତ ହୋଇଯାଇଥିଲେ । କାରଟି ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି । ସୂଚନା ଅନୁସାରେ ଡାରିୟା ଡୁଗିନଙ୍କୁ ଚଳିତ ବର୍ଷ ଜୁଲାଇରେ ବ୍ରିଟେନ ପକ୍ଷରୁ ରୁଷିଆର ଲୋକଙ୍କ ଉପରେ ଲଗାଯାଇଥିବା କଟକଣାରେ ସାମିଲ କରାଯାଇଥିଲା । ଡାରିୟା ଜଣେ ଲେଖିକା ଥିଲେ । ତାଙ୍କୁ ନିଜର ପିତାଙ୍କ ପରାମର୍ଶଦାତା ଭାବେ ବିବେଚନା କରାଯାଉଥିଲା ।