କଂଗ୍ରେସ ପକ୍ଷରୁ ଗୌରବ ଯାତ୍ରା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ୟାଗ ଓ ବଳିଦାନର ୭୫ ବର୍ଷ ଉପଲକ୍ଷେ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ଶହୀଦଙ୍କ ସ୍ମୃତିକୁ ମନେ ପକାଇ ଶହୀଦ ଗ୍ରାମରେ କଂଗ୍ରେସ ସ୍ୱାଧୀନତାର ଗୌରବ ଯାତ୍ରା ଆରମ୍ଭ କରିଛି । ନନ୍ଦାହାଣ୍ଡି ବ୍ଲକର ଶହୀଦ ଗ୍ରାମ ନୂଆଗାଁଠାରୁ ଡଙ୍ଗରଭେଜା ପର୍ଯ୍ୟନ୍ତ ଗୌରବ ଯାତ୍ରା ଆରମ୍ଭ ହୋଇଛି । ଏହି ଗୌରବ ଯାତ୍ରା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସଠାରୁ ଆରମ୍ଭ ହୋଇ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଡିସିସି ସଭାପତି ମୁନା ତ୍ରିପାଠୀ ସୂଚନା ଦେଇଛନ୍ତି । କଂଗ୍ରେସ ଦଳର ମହାମୁନିସମାନେ ଯେଉଁ କଷ୍ଟସାଧ୍ୟ ସ୍ୱାଧୀନତା ଆଣି ଦେଇଥିଲେ ତାହାକୁ ମନେ ପକେଇବା ପାଇଁ ଏହି ଗୌରବ ଯାତ୍ରା ଅନୁଷ୍ଠିତ ହେଉଛି । ସ୍ୱାଧୀନତା ଆନ୍ଦୋଳନରେ ବନ୍ଧୁକ ମୁନରେ ପ୍ରାଣବଳି ଦେଇ ସଂଗ୍ରାମୀଙ୍କ ପରାକାଷ୍ଠାକୁ ଗ୍ରାମାଞ୍ଚଳରେ ଘରେ ଘରେ ପହଞ୍ଚାଇବା ସହ ଇଂରେଜମାନେ ଲୁଣରେ ନେଉଥିବା ଟିକସକୁ ବିରୋଧ କରି କଂଗ୍ରେସ ଇଂରେଜଙ୍କୁ ଦେଶରୁ ହଟେଇ ଥିଲେ । କିନ୍ତୁ ବର୍ତ୍ତମାନର ପୁଞ୍ଜିପତି ସରକାର ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ମୁଢ଼ି ଓ ଚୁଡ଼ା ଆଦି ଉପରେ ଟିକସ ବସାଇ ଗରିବ ଖଟିଖିଆଙ୍କୁ ଶୋଷଣ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ପିସିସି ସଭ୍ୟ ଦିଲ୍ଲୀପ କୁମାର ବେହେରା, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ସଂଖ୍ୟାଲଘୁ ନେତା ଅବଦୁଲ ଫିରୋଜ, ଦିଲ୍ଲୀପ ପ୍ରଧାନୀ ପ୍ରମୁଖ ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।