ବଲାଙ୍ଗିର,ଏନ୍ଏନ୍ଏସ୍: ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ରକ୍ଷକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ରାସ୍ତା କଡରେ ଥିବା ବିଭିନ୍ନ ଦୋକାନୀ, ରାସ୍ତା ବ୍ୟବହାରକାରୀ ତଥା ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଆରଟିଓ ଦାସ ପ୍ରଭାସ କୁମାରଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ତହସିଲଦାର ଅମୃତଲାଲ ବେହେରା, ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର, ବଲାଙ୍ଗିର ଟ୍ରାଫିକ ଇନ୍ସପେକ୍ଟର ଯଶୋବନ୍ତ ଚିନାରା, ଏମ୍ଭିଆଇ କାହ୍ନୁଚରଣ ବାନାରା ପ୍ରମୁଖ ମଞ୍ଚାସୀନ ଥିଲେ।
ବିଭିନ୍ନ ସମୟରେ ତଥା ବିଭିନ୍ନ ସ୍ଥାନରେ ସେ ଯାନ୍ତ୍ରିକ ତୃଟି ହେଉ କି ମାନବକୃତ ପ୍ରତିଦିନ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଧନ ଜୀବନ ହାନି ଘଟିବା ସହିତ ଅନେକ ପରିବାର ସର୍ବହରା ହୋଇପଡୁଛନ୍ତି। ତେଣୁ ଦୁର୍ଘଟଣା ସମୟରେ ମାନବିକତା ଗୁଣ ନେଇ ପ୍ରତ୍ୟେକ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର ପ୍ରଥମିକ ସହାୟକ ଭାବରେ କାର୍ଯ୍ୟ କରି ଡାକ୍ତରଖାନାକୁ ପହଞ୍ଚାଇବା ଜଣେ ରକ୍ଷକର କାର୍ଯ୍ୟ ଅଟେ। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ଆହତ ବ୍ୟକ୍ତି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ସଠିକ୍ ଚିକିତ୍ସା କରାଗଲେ ବ୍ୟକ୍ତିର ଜୀବନ ବଞ୍ଚାଯାଇ ପାରିବ। ତେଣୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପାଇଁ ଗୋଲଡେନ ଆୱାର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ।
ରକ୍ଷକ ତାଲିମଦାତା ମଦନ ମୋହନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ.ଦୈତାରି ପୂଝାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଠାରୁ ରାମ ନାରାୟଣ ଦାଶଙ୍କୁ ଗୁଡ୍ ସମରିଟାନ ଭାବରେ ପ୍ରମାଣପତ୍ର ସହିତ ୨ହଜାର ଅର୍ଥ ରାଶିି ଚେକ୍ ମାଧ୍ୟମରେ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ତାଲିମଦାତା ଭାବରେ ବିରଞ୍ଚି ନାରାୟଣ ଦାଶ, ରଶ୍ମିରାଣୀ ଦାଶ, ଦୁର୍ଯ୍ୟୋଧନ ପଶାୟତ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦ କାର୍ଯ୍ୟ ତୁଲାଇଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପରିବହନ କାର୍ଯ୍ୟାଳୟର ଜେଆରଏ ଶ୍ରୀକାନ୍ତ ନାଏକ କରିଥିବା ବେଳେ ସେକ୍ସନ ଅଫିସର କୁତାର୍ଥ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ। ପରିବହନ କାର୍ଯ୍ୟାଳୟର ଦିପକ ନାଏକ, ଉମେଶ ବାଗ, ଯୋଗିନ୍ଦ୍ର ମନହିରା, ସୁମନ୍ତ ମଲ୍ଲିକ ପ୍ରମୁଖ ତଥା ମହାବିଦ୍ୟାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।