ନିଯୁକ୍ତି ଦେବା ନାଁରେ ନିର୍ଯାତନା ଅଭିଯୋଗ

ପାତ୍ରପୁର,ଏନ୍ଏନ୍ଏସ୍: ପାତ୍ରପୁର ବ୍ଲକ୍ ଆଙ୍ଗୁରି ପଞ୍ଚାୟତର ୩ଜଣ ଯୁବତୀ ବ୍ଲକରେ ହେଉଥିବା ନିଯୁକ୍ତି ମେଳା ମାଧ୍ୟମରେ ଟ୍ରେନିଂ କରିବାକୁ ଭୁବନେଶ୍ୱର ପଟିଆ ସ୍ଥିତ ବଟନ ବ୍ଲଜମ୍ ପ୍ରାଇବେଟ୍ ଲିମିଟେଡ୍ ନାମକ ଏକ ଦକ୍ଷତା ତାଲିମ କେନ୍ଦ୍ରକୁ ଆସିଥିଲେ। ଏହି ଟ୍ରେନିଂ ସେଣ୍ଟରରେ ୩ମାସ ଟ୍ରେନିଂ କରି ଚାକିରି ପାଇଁ କମ୍ପାନୀର ନିଜସ୍ୱ କାରଖାନା ଚେନ୍ନାଇର ଶିରିପୁରକୁ ପଠାଇ ଦେଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ସରକାର ଶ୍ରମିକମାନଙ୍କର ମଜୁରୀ ସ୍ଥିର କରିଥିବାବେଳେ କମ୍ପାନୀ ଦକ୍ଷତା ତାଲିମ ନାଁରେ ମାତ୍ର ୫୦୦/୬୦୦ ଟଙ୍କାରେ ମାସ ସାରା ଖଟାଉଛି।

ଯଦି କେହି ଦେହ ଖରାପ କିମ୍ବା ପରିବାର ଅସୁବିଧା ପାଇଁ ଆସିବାକୁ ବାହାରୁଛି, ତାଙ୍କୁ ଗେଟ୍ ପାସ୍ ବଦଳରେ ଧମକ ଦେଉଥିବା ଖବର ମିଳିଛି। ଯଦି କେହି ଏହାର ପ୍ରତିବାଦ କରୁଛି ତେବେ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। କେବଳ ଯେ ପାତ୍ରପୁର ଅଞ୍ଚଳ ନୁହେଁ ବରଂ ବିଭିନ୍ନ ଜିଲ୍ଲାର ଯୁବତୀ ରୋଜଗାର ପାଇଁ ଏପରି କମ୍ପାନୀରେ କାମ କରୁଛନ୍ତି।

ନିର୍ଯାତନା ସୀମା ଟପିଗଲେ ବି ଚେନ୍ନାଇ, ତିରିପୁରରୁ ଆସିବାକୁ କୌଣସି ସହଯୋଗ ନଥିବା କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଅନୁମତି ନଦେଇ ନିର୍ଯାତନା କରିବା ଦ୍ୱାରା ମୁକୁଳିପାରୁ ନଥିବା ଅଭିଯୋଗ ଆସିଛି। ଆଙ୍କୁରା ଅଞ୍ଚଳରେ ୭ଜଣ ଯୁବତୀଙ୍କ ମଧ୍ୟରୁ ୨ଜଣଙ୍କୁ କମ୍ପାନୀ ଛାଡିବାକୁ ଅନୁମତି ଦେବାପରେ ଏଭଳି ସତ୍ୟ ପଦାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଏହି କମ୍ପାନୀ ପୂର୍ବରୁ ଠିକାଦାରଙ୍କ ମାଧ୍ୟମରେ ଓଡିଶାରୁ ମହିଳା ଶ୍ରମିକଙ୍କୁ ନେଇ କାମରେ ଲଗାଉଥିଲା। ଦକ୍ଷତା ତାଲିମ କାର୍ଯ୍ୟକ୍ରମ ସରକାର ହାତକୁ ନେବାପରେ ନିଜ ନାଁରେ କମ୍ପାନୀ ଏକ ଟ୍ରେନିଂ ସେଣ୍ଟର ଭୁବନେଶ୍ୱର ପଟିଆରେ ଟ୍ରେନିଂ ଦେଇ ଚାକିରି ପାଇଁ ଚେନ୍ନାଇ ପଠାଇଥିଲା। ହଜାର ହଜାର ଓଡିଆ ଝିଅ ପେଟପାଟଣା ପାଇଁ ଚେନ୍ନାଇରେ ନିର୍ଯାତିତ ହେଉଥିଲେ ସୁଦ୍ଧା ସମ୍ପୃକ୍ତ କମ୍ପାନୀର ନିଘା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି।