କୋରୁକୋଣ୍ଡା,ଏନ୍ଏନ୍ଏସ୍: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଲକଡାଉନ ଜାରି ରହିଥିବା ବେଳେ କିଛି ଲୋକ ପାସ କରାଇ ଘରକୁ ଫେରୁଛନ୍ତି। ଭୁବନେଶ୍ୱରକୁ ହଟସ୍ପଟ ଘୋଷଣା କରାଯାଇଥିବା ବେଳେ ଏଠାରେ ଏକ କଲେଜର ଛାତ୍ରାବାସରେ ରହୁଥିବା ୩ଜଣ ଝିଅ ନିଜ ଘର ମାଲକାନଗିରିକୁ ଫେରିଛନ୍ତି। ସେମାନଙ୍କ ସହ ଆଉ ଜଣେ ଝିଅ କୋରାପୁଟରୁ ଆସିଛନ୍ତି। ୩ ଜଣଙ୍କୁ ସ୍ଥାନୀୟ ଏନଏସି ପ୍ରଶାସନ ନିଜ ଘର ମାଲକାନଗିରିକୁ ପଠାଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲିମେଳାରେ ଥିବା କ୍ୱାରେଣ୍ଟାଇନରେ ରଖାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ସରକାର ଭୁବନେଶ୍ୱରକୁ ହଟସ୍ପଟ ଘୋଷଣା କରିଥିବାବେଳେ ସେଠାରୁ ଏହି ଝିଅମାନେ ଏବଂ ତାଙ୍କ ସହ ଆସିଥିବା ସେଠାକାର ଏକ ଡ୍ରାଇଭର କେମିତି ପାସ କରାଇଲେ। ଉକ୍ତ ଝିଅଙ୍କ କହିବାନୁଯାୟୀ ସେମାନେ ଭୁବନେଶ୍ୱର କମିଶନରେଟ ପୁଲିସଠାରୁ ନିଜ ଜେଜେବାପାଙ୍କର ଦେହାନ୍ତ ହୋଇଥିବା ଦର୍ଶାଇ ପାସ କରାଇଥିଲେ।