କାଲିଠୁ ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର

  • କେନ୍ଦୁଝର,ଏନଏନଏସ: ଆସନ୍ତାକାଲି ଖୋଲିବ ଘଟଗାଁ ବାସିନୀ ମା’ ତାରିଣୀ ପୀଠ। କିନ୍ତୁ ମନ୍ଦିର ଭିତରେ ଭୋଗ ହୋଇପାରିବ ନାହିଁ। ଭକ୍ତମାନେ କୋଭିଡ୍ ଗାଇଡ୍ଲାଇନରେ ଯାଇ କେବଳ ମା’ଙ୍କୁ ଦର୍ଶନ କରିପାରିବେ। ଏନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଅନୁସାରେ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ। ମା’ ତାରିଣୀ ମନ୍ଦିର ସାଧାରଣ ଦର୍ଶନ ପାଇଁ ସକାଳ ସାଢ଼େ ୭ଟାରେ ଖୋଲିବ। ଦର୍ଶନ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତମାନେ ଗେଟ ନଂ-୩ରେ ପ୍ରବେଶ କଲାବେଳେ ସାନିଟାଇଜ ହୋଇ ଦୂରତା ରକ୍ଷା କରି ବ୍ୟାରିକେଡରେ ଧାଡି ହୋଇ ମୁଖଶାଳା ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ମନ୍ଦିର ବେଢା ମଧ୍ୟରେ ୨୫ ଜଣରୁ ୩୦ ଜଣ ଭକ୍ତ ଏକ ସଙ୍ଗେ ଦର୍ଶନ କରିପାରିବେ। ଦର୍ଶନ ପରେ ଭକ୍ତମାନେ ୪ ନଂ. ଗେଟ ଦେଇ ବାହାରକୁ ବାହାରିବେ। କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ। ସିନ୍ଦୂର ଓ ଚନ୍ଦନ ପୂଜକଙ୍କୁ ମାଗିପାରିବେନାହିଁ। ୧୦ ବର୍ଷରୁ କମ ବୟସର ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଭକ୍ତ ପ୍ରବେଶ କରିପାରିବେ ନାହିଁ। ବର୍ତ୍ତମାନ ଚୁଳ ସମର୍ପଣ ବନ୍ଦ କରାଯାଇଛି। ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ୫ ନଂ. ଗେଟରେ ଗାଡ଼ି ପୂଜା କରିବାକୁ ଅନୁମତି ଦିଆଯାଇଛି। ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମା’ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ ଆଳତୀରେ ସାଧାରଣ ଭକ୍ତଙ୍କ ଉପସ୍ଥିତି ବାରଣ କରାଯାଇଛି। ତେବେ ଆସନ୍ତା ୧୬ ତାରିଖରେ ଶ୍ରାବଣ ମାସ ସୋମବାର କାରଣରୁ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି। ଠିକ ସେହିପରି କେନ୍ଦୁଝର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜିଉ ମନ୍ଦିର ମଧ୍ୟ ଆସନ୍ତାକାଲି ଖୋଲିବ। କୋଭିଡ୍ ଗାଇଡଲାଇନରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି।