ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରଭାବକୁ ପ୍ରତିହତ କରିବା ଲାଗି ଭାରତ ମହାସାଗରରେ ଜର୍ମାନୀ ଯୁଦ୍ଧପୋତ ପାଟ୍ରୋଲିଂ କରିବ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ଆନିଗ୍ରେଟ୍ କ୍ରାମ୍ପ-କାରେନ୍ନାୱାର୍ ଏହି ସୂଚନା ଦେଇଛନ୍ତି ।
‘ସିଡ୍ନି ମର୍ଣ୍ଣିଂ ହେରାଲ୍ଡ’କୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଆସନ୍ତା ବର୍ଷରୁ ଏହି ଯୁଦ୍ଧପୋତ ମୁତୟନ କରାଯିବ ବୋଲି ଆଶା କରାଯାଉଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜର୍ମାନୀ ନୌସେନାର ଉପସ୍ଥିତି ଆନ୍ତର୍ଜାତିକ ସମ୍ପର୍କ ସୁରକ୍ଷିତ ରଖିବାରେ ସହାୟକ ହେବ । ସେ ଅଞ୍ଚଳରେ ଜର୍ମାନୀର ଉପସ୍ଥିତି ଆବଶ୍ୟକ ବୋଲି ଚିନ୍ତା କରାଯାଉଛି ।
ଆସନ୍ତାବର୍ଷ ଆମେ ସେଠାରେ ଯୁଦ୍ଧପୋତ ମୁତୟନ କରିବାରେ ସମର୍ଥ ହେବୁ । କୋଭିଡ୍-୧୯ ମହାମାରୀ ଆମ ବଜେଟ୍କୁ ପ୍ରଭାବିତ କରିଥିଲେ ସୁଦ୍ଧା ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ଆମେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରିବୁ । ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ନିଜର ପ୍ରଭାବ ବିସ୍ତାର କରିଚାଲିଥିବା ଚୀନ୍କୁ ଚେକ୍ ଦେବାଲାଗି ଜର୍ମାନୀର ଏହି ଯୁଦ୍ଧପୋତ ଅବାଧ ନୌସମରାଭ୍ୟାସ କରାଇବ କି ନାହିଁ, ସେ ବିଷୟରେ କ୍ରାମ୍ପ-କାରେନ୍ୱାର ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି। ତେବେ ସେ କହିଛନ୍ତି ଯେ ବିଶ୍ୱର ନିରାପତ୍ତା ନିମନ୍ତେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଠାରେ ଚୀନ୍ର କେତେକ କାର୍ଯ୍ୟକଳାପକୁ ଜର୍ମାନୀ ଉପେକ୍ଷା କରିପାରିବ ନାହିଁ ।
ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ୟୁରୋପ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅର୍ଥନୀତି ନିବିଡ ଭାବେ ସଂଯୁକ୍ତ ହୋଇଥିବାରୁ ଭାରତ ମହାସାଗର, ଦକ୍ଷିଣ ଚୀନ୍ ସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟ ଦେଇ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ପରିଚାଳିତ ହେଉଛି । ସେ ଅଞ୍ଚଳରେ ଉପୁଜୁଥିବା ବିବାଦ ଯଦି ସେଠାକାର ନିରାପତ୍ତା ଓ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ପକାଏ, ଜର୍ମାନୀ ମଧ୍ୟ ପ୍ରଭାବିତ ହେବ ।