ୱେଲିଂଟନ୍,ଏଜେନ୍ସି: ଭାରତୀୟ ବଂଶୋଦ୍ଭବ ପ୍ରିୟଙ୍କା ରାଧାକ୍ରିଷ୍ଣନ୍ ନ୍ୟୁଜିଲାଣ୍ଡରେ ଜଣେ ମନ୍ତ୍ରୀ ହେବାର ସୌଭାଗ୍ୟଅର୍ଜନ କରିଛନ୍ତି । ସେ ନ୍ୟୁଜିଲାଣ୍ଡରେ ମନ୍ତ୍ରୀ ହେବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରର୍ଡନ ତାଙ୍କ ମନ୍ତ୍ରିମଣ୍ଡଳରେ ପ୍ରିୟଙ୍କାଙ୍କ ସମେତ ୫ ଜଣ ନୂଆ ମନ୍ତ୍ରୀଙ୍କୁ ସୋମବାର ସାମିଲ କରିଛନ୍ତି । ୪୧ ବର୍ଷୀୟା ରାଧାକ୍ରିଷ୍ଣନ୍ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ସିଙ୍ଗାପୁରରେ ବଢିଥିଲେ । ତାଙ୍କର ପୂର୍ବ ପୁରୁଷ କେରଳର କୋଚିରେ ବସବାସ କରୁଥିଲେ ଏବଂ ତାଙ୍କର ଜେଜେ ପେଶାରେ ଜଣେ ଡାକ୍ତର ଥିଲେ ।
ଅକ୍ଲାଣ୍ଡରୁ ୨ ଥର ସାଂସଦ ଥିବା ରାଧାକ୍ରିଷ୍ଣନ ଉଚ୍ଚଶିକ୍ଷା ପାଇଁ ନ୍ୟୁଜିଲାଣ୍ଡ ଯାଇଥିଲେ । ୨୦୦୪ରୁ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇ ଲେବର ପାର୍ଟିରେ ରହିଛନ୍ତି । ୨୦୧୭ ସେପ୍ଟେମ୍ବରରେ ସେ ପାର୍ଲାମେଣ୍ଟକୁ ପ୍ରଥମ କରି ନିର୍ବାଚିତ ହୋଇଥିଲେ । ସେ ଏବେ ଅକ୍ଲାଣ୍ଡ୍ରେ ସ୍ୱାମୀଙ୍କ ସହ ରହୁଛନ୍ତି । ପ୍ରଧାନମନ୍ତ୍ରୀ ଆର୍ଡେନ୍ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା କଲାବେଳେ କହିଥିଲେ କେତେକ ନୂଆ ପ୍ରତିଭାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ମୁଁ ଗୌରାବାନ୍ୱିତ କରୁଛି । ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୧୭ରେ ନ୍ୟୁଜିଲାଣ୍ଡର ପାର୍ଲାମେଣ୍ଟ ନିର୍ବାଚନ କରାଯାଇଥିଲା ।